Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, କଟକ ଓ ଭଦ୍ରକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ଵର: ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୬ରେ ରାଷ୍ଟ୍ରପତି କଟକ ଆସିବେ। ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଏସସିବି ମେଡିକାଲ ଓ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଷ୍ଟ୍ରପତି  ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଚିଠି ହୋଇଛି । ଯେଉଁ ଚିଠି ଏସ୍‌ସିବି କଲେଜ କର୍ତ୍ତୃପକ୍ଷଙ୍କ  ହସ୍ତଗତ ହୋଇଛି ।ଏଥିସହ ରାଷ୍ଟ୍ରପତି କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତିନୋଟି ଅନୁଷ୍ଠାନକୁ ସରକାରୀ ସ୍ତରରେ ସୂଚିତ କରାଯାଇସାରିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ପ୍ରଶାସନିକସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ବୁଧବାର ଏସସିବି କଲେଜ  ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି  ବୈଠକ ବସିଥିଲା । ବୈଠକରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସନ୍ନଜିତ ମହାନ୍ତିଙ୍କ ସହିତ ଅଣ୍ଡର ଗ୍ରାଜୁଏଟ୍‌ ସଂଘର ସଭାପତି, ସମ୍ପାଦକ  ଏବଂ କଲେଜର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏସ୍‌ସିବିକୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଆସୁଥିବାରୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରିବା ଲାଗି ପ୍ରସ୍ତୁତି ଚାଲିଛି ।

ଏଣେ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆସନ୍ତା ଜୁଲାଇ ୨୭ରେ ଭଦ୍ରକ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ କରାଯିବ। ଏଥିପାଇଁ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଇଁ କଲେଜର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ