Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦ ଯାଏ ପ୍ରବଳ ବର୍ଷା, ଗତ ୨୪ ଘଣ୍ଟାରେ ୬ଟି ସ୍ଥାନରେ ପ୍ରବଳ ଓ ୧୨ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ

ଭୁବନେଶ୍ଵର: ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଉତ୍ତର ଓଡ଼ିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମ ଉପତ୍ୟକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୨୦ ତାରିଖ ଯାଏ ବର୍ଷା ଲାଗି ରହିବ। ତେବେ ଗତ ୨୪ ଘଣ୍ଟାରେ ବିନିକାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁର ଧନକଉଡ଼ାରେ ୧୫୫ ଏବଂ ଯୁଯୁମରାରେ ୧୩୬ ମିମି ବର୍ଷା ହୋଇଛି। ରାଜ୍ୟର ୬ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୨ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବରେ ଆଜି ବ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରବାହ ଯୋଗୁଁ ମୋଟ ୨୭.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ଵାଭାବିକ ବର୍ଷା ୧୩.୫ ମିମି ତୁଳନାରେ ୧୦୩% ଅଧିକ। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ ସୋମବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ୧୮ ତାରିଖ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷାଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୯ ତାରିଖ ଦିନ ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହିଭଳି ବର୍ଷା ଜାରି ରହିବ। ୨୦ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ