Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାରୁଣ୍ଡ କଳା କେନ୍ଦ୍ରର ରୌପ୍ୟ ଜୟନ୍ତୀ ଅବସରରେ “କଳାହାଣ୍ଡିର ଲୋକନୃତ୍ୟ ଓ ଘୁମୁରା” ଆଲୋଚନା ଚକ୍ର।

କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “କାରୁଣ୍ଡ କଳା କେନ୍ଦ୍ର” ଜୁଲାଇ ୧୬ ତାରିଖରେ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ତାହାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ “କଳାହାଣ୍ଡିର ଲୋକନୃତ୍ୟ ଓ ଘୁମୁରା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ କରିଛି।ଏଥିରେ ସମ୍ମାନିତ ଆଲୋଚନା କଳାହାଣ୍ଡିଆ ଶବ୍ଦକୋଷର ରଚୟିତା ତଥା ଗବେଷକ ପରମେଶ୍ୱର ମୁଣ୍ଡ, ବିଶିଷ୍ଟ ନାଟ୍ୟଗୁରୁ ଭୀମସେନ ସାହୁ ଓ ଲୋକ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।
କଳାହାଣ୍ଡି ଜିଲ୍ଲାରେ ଯେତେ ପ୍ରକାର ର ଲୋକନୃତ୍ୟ ଅଛି ଭାରତ ବର୍ଷର ଅନ୍ୟ କୌଣସି ଜିଲ୍ଲାରେ ଏତେ ପ୍ରକାର ର ଲୋକନୃତ୍ୟ ନାହିଁ। କଳାହାଣ୍ଡି ଜିଲ୍ଲାରେ ଘୁମୁରା,ବଜାଶାଲ,ବନାବାଡ଼ି,ଦଣ୍ଡାରୀ,ମାଦଲି,ଢାପ,ଘୁଡକା, ସିଙ୍ଘ ବାଜା, ଦେବଗୁନିଆ, ସଂକୀର୍ତ୍ତନ, ଖଞ୍ଜଣି ଆଦି ବିଭିନ୍ନ ପ୍ରକାରର ଲୋକନୃତ୍ୟ ରହିଛି ଓ ଲୋକ ପରମ୍ପରା ରହିଛି। ବିବିଧ କଳା ଓ ଲୋକ ସଂସ୍କୃତି ରେ ସମୃଦ୍ଧ ହୋଇଥିବା ରୁ ଏ ଅଞ୍ଚଳର ନାମ ର ସାର୍ଥକତା ରହିଛି। ବାସ୍ତବିକ ବିବିଧ କଳାରେ ପରିପୂର୍ଣ୍ଣ ହାଣ୍ଡି ହେଉଛି କଳାହାଣ୍ଡି। ତେବେ କଳାହାଣ୍ଡିର ଘୁମୁରା ଓ ବଜାଶାଲ ଦେଶ ବିଦେଶରେ ଯେତିକି ଖ୍ୟାତି ଅର୍ଜନ କରିଛି ଜିଲ୍ଲାର ଅନ୍ୟ ଲୋକ ନୃତ୍ୟ ଗୁଡ଼ିକ କାହିଁକି ସେତେ ବିକଶିତ ହେଇପାରୁନାହିଁ ସେଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। କଳାହାଣ୍ଡି ଏହି ଲୋକନୃତ୍ୟ ଗୁଡିକର ମୌଳିକତା ରକ୍ଷା କରି ନୃତ୍ୟ ଓ ବାଦ୍ୟକୁ ବିକଶିତ କରାଇ ପାରିଲେ ହିଁ ତାହା ଦେଶ ବିଦେଶରେ ଆଦୃତ ହୋଇପାରିବବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଛନ୍ତି। କାରୁଣ୍ଡ କଳା କେନ୍ଦ୍ରର ସଭାପତି ପଦ୍ମନାଭ ରାଜୁଙ୍କ ପୌରହିତ୍ୟରେ ଅୟୋଜିତ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଜଗନ୍ନାଥ ମୁଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗବେଷକ ତଥା ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଳ୍ପୀ ପ୍ରଭାସ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆକାଶବାଣୀ କଳାକାର ଶୁଭେନ୍ଦୁ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କାରୁଣ୍ଡ କଳା କେନ୍ଦ୍ରର କାର୍ଯ୍ୟକାରୀ ସଭ୍ୟ ଶେଷଦେଵ ମିଶ୍ର ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଟାଉନ ହଲ ପରିସରରେ ସକାଳ ସାଢେ ଆଠଟାରେ ସଭାପତି ଅନୁଷ୍ଠାନର ପତାକା ଉତ୍ତୋଳନ କରିଥିଲେ। ସକାଳ ନଅଟାରେ ମାନିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ଟାଉନ ହଲ ପହଁଚିବା ପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories