Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏଚ-୧୬ ଭୁଶୁଡ଼ିବା ଘଟଣା: ନିର୍ମାଣଗତ ତ୍ରୁଟି ରହିଛି, ଗାଡ଼ି ଚଳାଚଳ ବନ୍ଦ ରହିବ, ବିକଳ୍ପ ବ୍ୟବସ୍ଥା କରାଯିବ- NHAI

ଭୁବନେଶ୍ଵର: ଜାତୀୟ ରାଜପଥ-୧୬ରେ ବ୍ରିଜ ଭୁଶୁଡ଼ିବା ଘଟଣାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ(ଏନଏଚଏଆଇ) ସ୍ପଷ୍ଠୀକରଣ ଦେଇଛି। ଅନୁଧ୍ୟାନ ପରେ ନିର୍ମାଣଗତ ତ୍ରୁଟି ଥିବା କହିଛନ୍ତି ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ। ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛନ୍ତି। ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏହା ନିର୍ମାଣଗତ ତ୍ରୁଟି ଥିବା ଜଣା ପଡ଼ୁଛି। ୨୦୦୮ ପାଖାପାଖି ଏହି ବ୍ରିଜ ନିର୍ମାଣ ହୋଇଥିଲା, ଯାହା ୫୦ ବର୍ଷ ରହିବା କଥା ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି।

ଏନଏଚ୍-୧୬ ବ୍ରିଜ ଭୁଶୁଡ଼ିବା ଘଟଣାର ଏନଏଚଆଇ ଆଞ୍ଚଳିକ ଅଫିସର ବୀରେନ୍ଦ୍ର ସିଂହ କହିଛନ୍ତି ତଦନ୍ତ ଏକ୍ସପର୍ଟ ଟିମ୍ କରିବ। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ହେଭି ଓଭର ଲୋଡିଂ ଗାଡ଼ି ପାଇଁ ବ୍ରିଜ ଭୁଶୁଡ଼ିଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ବ୍ରିଜ ଭୁଶୁଡ଼ିବାର ପ୍ରକୃତ କାରଣ ଜଣା ପଡ଼ିବ। ଏନଏଚଆଇ ମୁଖ୍ୟାଳୟର ତଦନ୍ତକାରୀ ଏବଂ ଏକ୍ସପର୍ଟ ଟିମ୍ ଘଟଣାର ତଦନ୍ତ କରିବେ। ତାଙ୍କ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡ଼ିବ। ବ୍ରିଜ ଭାଙ୍ଗି ଥିବାରୁ ଯାତାୟତ ବନ୍ଦ ରହିବ। ବ୍ରିଜର ପୁନଃ ନିର୍ମାଣ କରାଯିବ। ବ୍ରିଜଟି ଆଉ କାର୍ଯ୍ୟକ୍ଷମ ହୋଇ ପାରିବ ନାହିଁ, ଏ ନେଇ ବିକଳ୍ପ ବ୍ୟବସ୍ଥା କରାଯିବ।

ସୂଚନାଯୋଗ୍ୟ, ଜାତୀୟ ରାଜପଥ-୧୬ରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ଏହି ବ୍ରିଜ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଭୁଶୁଡ଼ିବା ବେଳେ କୌଣସି ଗାଡ଼ି ଯାଉ ନ ଥିବାରୁ ବଡ଼ ଅଘଟଣ ବର୍ତ୍ତି ଯାଇଛି। କିନ୍ତୁ ବ୍ରିଜ ଭୁଶୁଡ଼ିବାରୁ ବାଲେଶ୍ଵରରୁ ଭୁବନେଶ୍ଵର ଆସିବା ରାଜପଥ ବନ୍ଦ ହୋଇ ଯାଇଛି। ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ