ଜୁଲାଇ ୨୩ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ଏସଆରସି କହିଲେ କିଛି ଅସୁବିଧା ନାହିଁ


ସମ୍ୱଲପୁର: ଉପମୁଣ୍ଡରେ ବର୍ଷା ଯୋଗୁଁ ହୀରକୁାଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ଫଳରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଜୁଲାଇ ୨୩ ତାରିଖରେ ଛଡ଼ାଯିବ। ଗତ ବର୍ଷ ପରି ଏଥର ମଧ୍ୟ ବାମ ପାର୍ଶ୍ୱର ୭ ନମ୍ବର ଗେଟ୍‌ଟି ପ୍ରଥମେ ଖୋଲାଯିବ ।

ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଫଳରେ ମହାନଦୀ ଓ ଶାଖାଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସତର୍କତା ଜାରି କରିଥିବା ବେଳେ ତଳମୁଣ୍ଡର ୧୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଇନ୍‌ଫ୍ଲୋ ଦେଖି ସମୁଦାୟ କେତୋଟି ଗେଟ୍ ଖୋଲାଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ରାଜ୍ୟର ନଦୀ ଖାଲି ଅଛି। ତେଣୁ ହୀରାକୁଦର ଗେଟ ଖୋଲିଲେ ଅସୁବିଧା କିଛି ନାହିଁ ବୋଲି ସ୍ଵତନ୍ତ୍ର ରିଲିଫ କମିସନର କହିଛନ୍ତି।

ସୂଚନାଯୋଗ୍ୟ, ପଛକୁ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ। ଉତ୍ତର-ପଶ୍ଚିମବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଓଡିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ।