Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନକଲାଗି ନୀତି ବିଶୃଙ୍ଖଳା ପାଇଁ ଦତ୍ତମହାପାତ୍ରଙ୍କୁ ନୋଟିସ୍ ଜାରି, ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ: ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ଜାରି ନୋଟିସର ଉତ୍ତର ଚାରି ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ ୨୦୧୮ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବା ବୋଲି ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବାବେଳେ ଏବେ ଗୁରୁବାର କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରି ବସିଛନ୍ତି । ନିଳାଦ୍ରୀ ବିଜେ ପରଠାରୁ ଅଦ୍ୟାବଧି ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସୃଙ୍ଗାର ନୀତି ସଂପନ୍ନ ହୋଇନାହିଁ ।

ଏମିତି ବିଶୃଙ୍ଖଳା ପାଇଁ ଏହି ନୋଟିସ ଜାରି କରାଯାଇଛି | ନୋଟିସକୁ ନେଇ ଦତ୍ତମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର କହିଛନ୍ତି ଯେ ଦୁଇଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ। ଆମେ ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ବନକଲାଗି କରିବାକୁ ଗୁରୁବାର ପ୍ରସ୍ତୁତ ଥିଲୁ। ହେଲେ ପ୍ରଶାସନର ଅବହେଳା ଯୋଗୁଁ ନୀତି ହୋଇପାରିଲା ନାହିଁ। ତେଣୁ ସତ୍ତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର। ନହେଲେ ସତ୍ତ୍ୱଲିପିକୁ ଉଚ୍ଛେଦ କରିଦିଅନ୍ତୁ ପ୍ରଶାସନ। ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି ।

ସେପଟେ ଆଜି ସନ୍ଧ୍ୟା ପାଞ୍ଚଟାରେ ବସିବ ଛତିଶା ନିଯୋଗ ବୈଠକ । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ବସିବ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ସହ ନିଆଯିବ ନିଷ୍ପତ୍ତି । ପୁରୀ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ପରିଚାଳନା କମିଟିର ସେବାୟତ ସଦସ୍ୟ ମାନେ ବୈଠକରେ ଉପସ୍ଥିତ ରହିବେ। ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ ନେଇ ମଧ୍ୟ ହୋଇପାରେ ଆଲୋଚନା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ