ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲା ଯାଉ, ଲୋକଙ୍କ ଭାବାବେଗକୁ ସମ୍ମାନ ଦିଆଯାଉ: ଧର୍ମେନ୍ଦ୍ର ଓ ନରସିଂହ

ଭୁବନେଶ୍ଵର: ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବ କି ଖୋଲିବନି, ତାର ଚୂଡ଼ାନ୍ତ ନିଷ୍ପତ୍ତି ଶୁକ୍ରବାର ଛତିଶା ନିଯୋଗ ବୈଠକରେ ନିଆଯାଇପାରେ ବୋଲି ଆଶା କରାଯାଉଛି। କିନ୍ତୁ ଭକ୍ତଙ୍କ ଏହି ଆଶା ଆଶାରେ ରହି ଯାଇଛି। ଚାରି ଦ୍ଵାର ଖୋଲିବା ନିଷ୍ପତ୍ତି ପୁଣି ଥରେ ଝୁଲିଛି। ଏହା ମଧ୍ୟରେ ଶନିବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସର ବରିଷ୍ଠ ନେତା ନରସିଂହ ମୀଶ୍ର। ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସେ କହିଛନ୍ତି ଯେ, ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଚାରିଦ୍ଵାର ଖୋଲୁ। କରୋନା ବେଳେ ଗୋଟିଏ ଦ୍ଵାର ଖୋଲା ଯାଇ ଅନ୍ୟ ଦ୍ଵାର ବନ୍ଦ ହୋଇଥିଲା। ଏବେ ତ ଆଉ କରୋନା ଡର ନାହିଁ। ତେଣୁ ଚାରୋଟି ଦ୍ଵାର ଖୋଲାଯାଉ। ପୁରୀବାସୀ ବିଭିନ୍ନ ସମୟରେ ଜଗନ୍ନାଥଙ୍କ ଦର୍ଶନ କରନ୍ତି। ଜଗା ସହିତ ସେମାନଙ୍କର ନିତିଦିନିଆ ସମ୍ପର୍କ ଏବଂ ଭାବ ରହିଛି। ଏବେ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯିବା ଉଚିତ୍ ବୋଲି ଭାବୁଛି।
ସେହିପରି ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଚାରି ଦ୍ଵାର ଖୋଲାଯାଉ। ଲୋକେ ଚାହୁଁଛନ୍ତି ଶୀଘ୍ର ଦ୍ଵାରା ଖୋଲାଯାଉ। ଜନମତଙ୍କୁ ସମ୍ମାନ ଜଣାଯାଉ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କମିଟି ରିପୋର୍ଟ ଦେବା ପୂର୍ବରୁ ଅନ୍ତତଃ ଆଉ ଗୋଟିଏ ଦ୍ଵାର ପୁରୀବାସୀଙ୍କ ପାଇଁ ଉନ୍ମୁକ୍ତ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି।