Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମିତି ରହିଛି କାର୍ଯ୍ୟସୂଚୀ

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବାୟୁସେନାର ସ୍ଵତନ୍ତ୍ର ବିମାନରେ ରାଷ୍ଟ୍ରପତି ଆଜି ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ଏହା ପରେ ରାଜଭବନ ସିଧାସଳଖ ଯାଇ ସେଠାରେ ରାତ୍ରୀଯାପନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଗତକାଲି କମିସନରେଟ୍ ପୋଲିସ ପକ୍ଷରୁ କାରକେଡ୍ ରିହରସଲ କରାଯାଇଛି।

ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ, ପୁଲିସ ଡିଜି ପ୍ରମୁଖ ସ୍ଵାଗତ କରିବେ। ଏହା ପରେ ସ୍ଵତନ୍ତ୍ର କାରକେଡରେ ରାଷ୍ଟ୍ରପତି ରାଜଭବନ ଯିବେ। ସେଠାରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହା ପରେ ରାଜଭବନ ପରିସରରେ ନିର୍ମାଣ ହେବାକୁଥିବା ନୂତନ କୋଠାର ଶିଳାନ୍ୟାସ କରିବେ।

୨୬ ତାରିଖ ସକାଳେ ରାଷ୍ଟ୍ରପତି କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବି ମେଡିକାଲ କଲେଜ୍ ଏବଂ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେବେ। ସନ୍ଧ୍ୟାରେ ପୁଣି ରାଜଭବନ ଫେରି ଆସିବେ। ଏହା ପରେ ୨୭ ତାରିଖରେ ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ। ୨୭ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ ୧୨ ଏଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର। ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ଵରେ ୩୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୬୦ ଟ୍ରାଫିକ କର୍ମଚାରୀ, ୧୫୦ ହୋମଗାର୍ଡ ନିୟୋଜିତ ରହିବେ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ