କଟକ ଚଣ୍ଡୀମନ୍ଦିରରେ ମା ଚଣ୍ଡୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ମୁର୍ମୁ, ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ହାତ ମିଳାଇଲେ


କଟକ: ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ଵିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ପହଞ୍ଚିଛନ୍ତି। ସଡ଼କ ପଥରେ ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥିବାବେଳେ ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ମନ୍ଦିର ନିକଟରେ ହୁଳୁହୁଳିରେ କମ୍ପିଉଠିଲା ପରିବେଶ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ଉଭୟଙ୍କୁ ମନ୍ଦିରର ନୀତିକାନ୍ତି ସଂପର୍କରେ ସବିଶେଷ ସୂଚନା ଦେଇଥିଲେ।

ଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ହାତ ମିଳାଇଛନ୍ତି। ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି।  ଓଡ଼ିଆ ଝିଅ ଶ୍ରୀମତି ମୁର୍ମୁଙ୍କୁ ଭେଟିବା ପାଇଁ କଟକବାସୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।  ଚଣ୍ଡୀମନ୍ଦିର ଦର୍ଶନ ପରେ  ରାଷ୍ଟ୍ରପତି ଶୈଳଵାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ତାପରେ ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କୁ ମାଲ୍ୟାର୍ପଣ କରି ପରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।

ଆଜି ରାଷ୍ଟ୍ରପତି କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବି ମେଡିକାଲ କଲେଜ୍ ଏବଂ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେବେ। ସନ୍ଧ୍ୟାରେ ପୁଣି ରାଜଭବନ ଫେରି ଆସିବେ। ଏହା ପରେ ୨୭ ତାରିଖରେ ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ। ୨୭ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।