୨ ଟ୍ରକ ମଧ୍ୟରେ ସାମ୍ନାସାମ୍ନି ଧକ୍କା:ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ,ହେଲପର ଗୁରୁତର,କୋଇଲା ବୋଝେଇ ଟ୍ରକ କର୍ମଚାରୀ ଫେରାର୍


ସମ୍ବଲପୁର:ଆଜି ବଡି ଭୋର ସକାଳୁ ଘଟିଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା। ୨ ଟ୍ରକ ମଧ୍ୟରେ ସାମ୍ନାସାମ୍ନି ଧକ୍କା ଲାଗି ଘଟଣା ସ୍ଥଳରେ ଜଣେ ଡ୍ରାଇଭର୍ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସେହି ଗାଡିର ହେଲପରକୁ ଗୁରୁତର ଅବସ୍ଥାରେ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ଘଟାଇଥିବା ଅନ୍ୟ ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ଥିବା ଓ ଖବର ଲେଖିବା ପର୍ଯ୍ୟନ୍ତ ସେମାନଙ୍କ କୌଣସି ପତ୍ତା ପାଇନଥିବା ପୋଲିସ କହିଛି। ମିଳିଥିବା ସୂଚନା ମତେ କେଉଁଝର ପଟରୁ ସମ୍ବଲପୁର ଅଭିମୂଖେ ପଥର କୋଇଲା ବୋଝେଇ ୧୬ ଚକିଆ ଟ୍ରକ୍ (ଓଡିବ୩୫ ଏଫ ୯୭୨୩) ଓ ସମ୍ବଲପୁରରୁ ଲହୁଣୀପଡାକୁ ଯାଉଥିବା ଏକ ସଫଳ ବୋଝେଇ ଟ୍ରକ୍(ଓଡି ୧୫ ଟି ୩୦୭୯) ମଧ୍ୟରେ କୁଲୁଣ୍ଡି ବଡରମା ମଧ୍ୟସ୍ଥଳ କୁଣ୍ଢେସରାର ଏକ ବୁଲାଣି ମୁହଁରେ ସାମ୍ନାସାମ୍ନି ଧକ୍କା ହୋଇ ଉଭୟ ଟ୍ରକ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା ।ତେବେ ଦୁର୍ଘଟଣା ପରେ ସଫଳ ବୋଝେଇ ଟ୍ରକରେ ନିଆଁ ଲାଗି ଏହା ଯୋର ଧରିଥିଲା । ଫଳରେ ସଫଳ ବୋଝେଇ ଟ୍ରକର ଡ୍ରାଇଭର ଷ୍ଟେରିଙ୍ଗରେ ଚାପି ହୋଇ ବାହାରି ନପାରି ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ମୃତ ଡ୍ରାଇଭର ହେଉଛନ୍ତି କାନପୁର ଜିଲ୍ଲା ଘଟମପୁର ନିକଟସ୍ଥ ବୀରସିଙ୍ଗପୁର ଗ୍ରାମ ଶିବକୁମାରଙ୍କ ପୁଅ ରାମଜୀ (୩୫)ବୋଲି ଗୌଡପାଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ଗୁରୁତର ଆହତ ହୋଇଥିବା ହେଲପର ହେଉଛନ୍ତି ଅବ୍ୟୁତନ ପାଲ(୩୦)।ଘଟଣା ସ୍ଥଳରେ ଗୌଡପାଲି ଓ ଜମନକିରା ପୋଲିସ ସହିତ ସମ୍ବଲପୁର ଓ ଜମନକିରାର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦମକଳ ବାହୀନି ଆସିବା ପୁର୍ବରୁ ସଫଳ ଗାଡିର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଗାଡିରେ ନିଆଁ ଲାଗିଥିବାରୁ ସମ୍ବଲପୁର କଲିକତା ରାଜପଥ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା।ଦୂର୍ଘଟଣା ପରେ ଗାଡିରେ ନିଆଁ ଲାଗିବା ନେଇ ସଟ ସର୍କିଟ କୁହାଯାଉଥିଲେ ମଧ୍ୟ ଏହାର କାରଣ କଣ ତାହା ପୋଲିସ ତଦନ୍ତ ପରେ ଜଣା ପଡିବ। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି।