Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଓ ୨ ସହଯୋଗୀ ଙ୍କୁ ପଶ୍ଚିମବଙ୍ଗ ରୁ ଗିରଫ କଲା ଖଲ୍ଲିକୋଟ ଓ କୋଦଳା ପୋଲିସ, ବୋମା, ଗୁଳି ଓ ପିସ୍ତଲ ଜବତ

ଖଲ୍ଲିକୋଟ–୩୦/୦୭–ଜଣେ ମାଆ ଚାହେଁ ନିଜ ପୁଅ କିଭଳି ଗୋଟିଏ ଭଲ ମଣିଷ ହେଉ ।କିନ୍ତୁ ପୁଅଟି ପରିସ୍ଥିତି ରେ ପଡି ହେଉ କିମ୍ବା କୁସଙ୍ଗ ରେ ପଡି ଅବାଟ କୁ ଚାଲି ଯାଏ ।ସେତେବେଳେ ମାଆ ର ଛାତି ଟା ଦୁଃଖ ରେ ଭାଙ୍ଗି ପଡେ ।ଏଭଳି ଏକ ଭାବ ବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମରେ ।ଖଲ୍ଲିକୋଟ ଓ କୋଦଳା ଥାନା ସମେତ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ରେ ୧୫ ରୁ ଅଧିକ ଅପରାଧ ରେ ଜଡିତ ଥାଇ ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଜେନା ଓ ତାର ଦୁଇ ସହଯୋଗୀ ରାମ ପାଳ ଓ ସଞ୍ଜୟ ବାରିକ ଓରଫ ବାଙ୍କା କୁ ପୋଲିସ ଗିରଫ କରି ଶନିବାର ରାତିରେ ଖଲ୍ଲିକୋଟ ଥାନାକୁ ଆଣିଥିଲେ ।ସେଠାରୁ ଗିରଫ ତିନି ଅପରାଧୀଙ୍କୁ ପୋଲିସ ବିଭୁ ର ନିଜ ଗ୍ରାମ ମାଣିକ୍ୟପୁର ଗ୍ରାମ କୁ ନେଇ ବୁଲେଇ ଥିଲା ।ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ର ମାଆ ଘର ବାରଣ୍ଡାରେ ବସିଥିଲେ ।ପୋଲିସ ବିଭୂ କୁ ନେଇ ସେଠାରେ ପହଞ୍ଚିବା ପରେ ମାଆ ହଠାତ ଚିହ୍ନି ପାରି ନଥିଲେ ।ଗତ ୨୦୧୫ ମସିହାରେ ଭୁବନେଶ୍ୱର ପୋଲିସ ର ଏନକାଉଣ୍ଟର ରେ ବିଭୁ ର ଡାହାଣ ଗୋଡ଼ କଟି ଯାଇଥିଲା ।ସେବେଠାରୁ ଦୀର୍ଘ ୮ ବର୍ଷ ହେଲା ଗାଁ କୁ ଆସିନି ବିଭୁ ।ତେଣୁ ହଠାତ ପୋଲିସ ସହିତ ଗିରଫ ବିଭୁ କୁ ଦେଖି ଚିହ୍ନି ପାରି ନଥିଲେ ମାଆ ।ତେବେ ପରବର୍ତ୍ତୀ ସମୟରେ ଜାଣିବା ପରେ ଭୋ ଭୋ ହୋଇ କାନ୍ଦିଥିଲେ ମାଆ ।ଧନ ରେ ତୁ କାହିଁକି ଏମିତି ହେଲୁ ରେ, ମୋର ଶେଷ ସମୟରେ ତୁ ମୋତେ କାନ୍ଧ ଦେବୁ, ଏବେ ସୁଧୁରି ଜାରେ ପୁଅ କହି ବାହୁନି କାନ୍ଦୁଥିଲେ ମାଆ ।ପୁଅ ମଧ୍ୟ ଆଉ ଏମିତି କାମ କରିବିନି, ମୋତେ ଶେଷ ସୁଯୋଗ ଦିଅ ବୋଲି ମାଆ କୁ କହିଥିଲା ।ଏହାପରେ ଖଲ୍ଲିକୋଟ ବସଷ୍ଟାଣ୍ଡ ରେ ମଧ୍ୟ ବୁଲେଇ ଥିଲା ପୋଲିସ ।ମଧ୍ୟରାତ୍ରରେ ଗିରଫ ତିନି ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଜେନା ଓ ତାର ସହଯୋଗୀ ମାନେ ଓଡ଼ିଶାର ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦା ବଟି ,ରାହାଯାନୀ, ଡକାୟତି ଭଳି ଅପରାଧ ରେ ଜଡିତ ଥାଇ ଫେରାର ଥିଲେ । ତେବେ ଗଞ୍ଜାମ ଏସପି ଶ୍ରୀ ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ଵରେ ଏକ ଟିମ ଗଠନ କରାଯାଇ ତଦନ୍ତ ଚଳାଇ ଥିବା ବେଳେ ବିଭୁ ଜେନା ଓ ସହଯୋଗୀ ରାମ ପାଳ ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲା ପାଇକର ଥାନା ଅଞ୍ଚଳରେ ଥିବା ଏକ ବିଶେଷ ସୂତ୍ର ରୁ ଖବର ପାଇ ସେଠାରେ ପୋଲିସ ଚଢ଼ାଉ କରି ବିଭୁ ଜେନା ଓ ସହଯୋଗୀ ରାମ ପାଳକୁ ଧରିବାରେ ସଫଳ ହୋଇଥିଲେ । ସେହିପରି ବିଭୁଙ୍କ ଆଉ ଜଣେ ସହଯୋଗୀ ସଞ୍ଜୟ ବାରିକ ଓରଫ ବାଙ୍କା କୁ ପୁରୁଷୋତ୍ତମପୁର ଥାନା ସିଙ୍ଗିପୁର ଅଞ୍ଚଳରୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୧୦ ଗୋଟି ଜୀବନ୍ତ ଗୁଳି ସହ ୬ ଗୋଟି ବୋମା ଜବତ କରାଯାଇଛି । ଅନ୍ୟପଟେ ଆତଙ୍କ ସୃଷ୍ଟି କରିଥିବା ବିଭୁ ଓ ତାର ଦୁଇ ସହଯୋଗୀଙ୍କୁ ଖଲ୍ଲିକୋଟ ଓ କୋଦାଳା ଥାନା ପୋଲିସ ମାଣିକ୍ୟପୁର ଗ୍ରାମ ଓ ଖଲ୍ଲିକୋଟ ବସ ଷ୍ଟାଣ୍ଡରେ ପାଦରେ ଚଲାଇ ଚଲାଇ ଅଞ୍ଚଳରେ ଜନସାଧାରଣଙ୍କ ମନରୁ ଆତଙ୍କର ଭୟ ଦୂର କରିବା ପାଇଁ ଏକ ନୂତନ ପ୍ରୟାସ କରିଛନ୍ତି । ଶେଷରେ ଗିରଫ ୩ ଅପରାଧୀଙ୍କୁ ପୋଲିସ କୋର୍ଟ ଚାଲାଣ କରିବା ସହ ଜେଲର ଚାରିକାନ୍ଥ ଭିତରକୁ ପଠାଇ ଦେଇଛି ।