ସମ୍ବଲପୁର:ସମଗ୍ର ପଶ୍ଚିମାଞ୍ଚଳବାସୀ ତଥା ସମ୍ବଲପୁରୀଆଙ୍କ ଅସ୍ମିତାର ଦିନ ସମ୍ବଲପୁରୀ ଦିନକୁ ରହିଲା ମାତ୍ର ଆଉ ଗୋଟିଏ ଦିନ । ଗାଁ ରୁ ସହର ସବୁଠି ସମ୍ବଲପୁରୀ ଦିନ ର ଚର୍ଚ୍ଚା ଓ ଉତ୍ସାହ ଦେଖିବାକୁ ମିଳୁଛି । ସମ୍ବଲପୁରୀ ଦିନ ଆୟୋଜନ କରୁଥିବା ଅନୁଷ୍ଠାନ ନିଜ ନିଜ ଢଙ୍ଗରେ ଲାଗି ପଡ଼ିଛନ୍ତି ପ୍ରଚାର୍ ପ୍ରସାରରେ । ସାମାଜିକ ଗଣମାଧ୍ୟମର ସମସ୍ତ ଉତ୍ସରେ ସମ୍ବଲପୁରୀ ଦିନର ପୋଷ୍ଟ ପରିଲକ୍ଷିତ ହେଉଛି ।
ଏହି ମର୍ମରେ ସମ୍ବଲପୁର ଠାରେ ହେଉଥିବା ସମ୍ବଲପୁରୀ ଦିନ କୁ ନେଇ ଆଜି ସହରରେ ବୁଲିଛି ଏକ ବାଇକ୍ ରାଲି । ସହରର ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବଳର ନେତୃତ୍ୱରେ ଆଜିର ବିଶାଳ ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା ।
ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଆରମ୍ଭ ହୋଇ ବାଇକ୍ ରେଲି ସହର ପରିକ୍ରମା କରିଥିଲା । ଶେଷରେ ଜେଲ ଛକ ରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏହା ଶେଷ ହୋଇଥିଲା ।
ସମ୍ବଳ ପରିବାର ପକ୍ଷରୁ ହୋଇଥିବା ଆଜିର ବାଇକ୍ ରାଲିରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ, ସମ୍ବଲପୁରୀ ଏକତା ମଞ୍ଚ, ପ୍ରୟାସ ପରିବାର ଭଳି ଅନେକ ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ସାମିଲ ହୋଇଥିଲେ l
ସେହିପରି ପଡୋଶୀ ଜିଲ୍ଲା ଝାରସୁଗୁଡାରେ ମଧ୍ୟ ସମ୍ବଲପୁରୀ ଦିନ ପାଳନ ପାଇଁ ଯୋରସୋର୍ ଉଦ୍ୟମ ଚାଲିଛି । ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଗତକାଲି ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ସହିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ସମ୍ବଲପୁରୀ ଦିନ ଲାଗି ବଢୁଛି ଉତ୍ସାହ:ସମ୍ବଲପୁରରେ ବାଇକ ରାଲି,ଝାରସୁଗୁଡାରେ ଚିତ୍ରାଙ୍କନ ପ୍ରତିଯୋଗିତା ସହ କବି ସମ୍ମିଳନୀ
