ରତ୍ନଭଣ୍ଡାରରେ ରହିଛି ଦେଢ କ୍ଵିଣ୍ଟାଲ ସୁନା ଓ ୧୮୪ କିଲୋ ରୁପା, ସରକାରଙ୍କ ସତ୍ୟପାଠ ଦାଖଲ


କଟକ: ରତ୍ନଭଣ୍ଡାର ଖୋଲାଯିବା ନେଇ ଦୀର୍ଘ ସମୟ ଧରି ଦାବି ହୋଇ ଆସିଛି। ନ୍ୟାୟାଳୟରେ ମଧ୍ୟ ମାମଲା ଚାଲିଛି। ଏହା ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ରତ୍ନଭଣ୍ଡାରରେ ସୁନାଗହଣର ହିସାବ ଦିଆଯାଇଛି। ଉଲ୍ଲେଖନୀୟ ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରଗୁଡ଼ିକର ହିସାବ କରାଯାଇଥିଲା। ଆଉ ଏହାର ତଥ୍ୟ ସରକାର କୋର୍ଟରେ ଉପସ୍ଥାପନ କରିଛନ୍ତି।

ଦାଖଲ ସତ୍ୟପାଠରେ ରତ୍ନଭଣ୍ଡାରରେ ଦେଢ କ୍ଵିଣ୍ଟାଲ ସୁନା ଓ ୧୮୪ କିଲୋ ରୁପା ରହିଥିବା ଉଲ୍ଲେଖ କରାଯାଇଛି। ଭିତର ରତ୍ନଭଣ୍ଡାରର ଅଳଙ୍କାର କେବେ ବି ବ୍ୟବହାର କରାଯାଏ ନାହିଁ। ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଅଳଙ୍କାର, ୧୩୪ କେଜି ୫୦ ଗ୍ରାମ ରୁପା ଅଳଙ୍କାର ରହିଛି। ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ ସୁନା ଅଳଙ୍କାର ଏବଂ ୧୯ କେଜି ୪୮୦ ଗ୍ରାମ ରୁପା ଅଳଙ୍କାର ରହିଛି। ଚଳନ୍ତି ଭଣ୍ଡାରରେ ପ୍ରାୟ ସାଢେ ୩ କେଜି ସୁନା ଅଳଙ୍କାର ଏବଂ ପ୍ରାୟ ୩୦ କେଜି ୩୫୦ ଗ୍ରାମ ରୁପା ଅଳଙ୍କାର ରହିଛି।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟରେ ମାମଲା ଚାଲିଛି। ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ବିଜେପି ହାଇକୋର୍ଟ ଯାଇଥିଲା। ତେବେ ହାଇକୋର୍ଟରେ ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପିର ପିଟିସନକୁ ନେଇ ଜୁଲାଇ ୧ ତାରିଖରେ ଜବାବ ରଖିଥିଲେ ଆଇନ ମନ୍ତ୍ରୀ। ସେ କହିଥିଲେ ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ। ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଆଜି ପର‌୍ୟ୍ୟନ୍ତ ଯେତିକି ଜାଣିଛି, ରତ୍ନ ଭଣ୍ଡାର ଚାବି ହଜିଛି କି ନହଜିଛି ଆମେ ସେ ବିଷୟରେ ଜାଣିନୁ ।

ସେ କହିଛନ୍ତି ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶ୍ରୀମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି । ହାଇକୋର୍ଟଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ତା ଉପରେ ବିଚାରବିମର୍ଶ କରିବେ ରାଜ୍ୟ ସରକାର। ଏହାପରେ ଯାଇ କୌଣସି ପଦକ୍ଷେପ ନେବେ ରାଜ୍ୟ ସରକାର । କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତିକରଣ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ଆଇନମନ୍ତ୍ରୀ ।