ଅଧୁରା ନାଳ ନେବ ମଣିଷ ଜୀବନ,ଡାକୁଛି ମଶା ମାଛି

ସମ୍ବଲପୁର(ପଡିଆବାହାଲ):ଜାତୀୟ ରାଜପଥ ଦୋହରୀ କରଣ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ସ୍ଥାୟୀ ନାଳ ନିର୍ମାଣ କରିବା କଥା । କାମ ହେବାର ୪ ବର୍ଷ ହୋଇଗଲା,ନାଁ ଠିକା ସଂସ୍ଥା ଏ କାମ କରୁଛି ନାଁ ଜାତୀୟ ରାଜପଥ ପ୍ରାଧିକରଣ(ଏଏନଏଚଆଇ) ହାରି ଗୁହାରୀ କଲେବି ଶୁଣୁଛି। ସ୍ଥାନୀୟ ଜନସାଧାରଣ ,ଜନ ପ୍ରତିନିଧି ବାରମ୍ବାର ଅଧୁରା କାର୍ଯ୍ୟକୁ ସଂପୁର୍ଣ୍ଣ କରିବାକୁ ଦାବି ହେଉଥିଲେବି ଏହା ସଂପୂର୍ଣ୍ଣ କରିବାରେ ଠିକା ସଂସ୍ଥା ଶୁଣୁଛି ! ଜାଗା ଦଖଲ ବାହାନା ଦେଖାଇ ନାଳକୁ ଅଧୁରା ପକାଇ ଟାଲଟୁଲ ନୀତି ଅବଲମ୍ବନ କରି ଚାଲିଛି ଠିକା ସଂସ୍ଥା। ଏପଟେ ବର୍ଷା ଆରମ୍ଭ ହେବା ଦିନଠୁ ନାଳ ନୁହେଁ, ରାସ୍ତାରେ ଗଡୁଛି ପାଣି। ନାଳ ଭିତରେ ଜମି ରହିଛି ଆବର୍ଜନା। ଉପର ମୁଣ୍ଡରୁ ଧୋଇହୋଇ ଆସି ତଳ ମୁଣ୍ଡ ନାଳରେ ଏହ ଜମି ରହିବା ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେଲାଣି।ଅଧୁରା ନାଳ ଶେଷରେ ଜମି ରହିଛି ପୋଚକା ପାଣି। ଏପରିକି ବର୍ଷା ଜଳର ଗତିପଥ ବଦଲାଇ ଧୋଇ ହୋଇ ଯାଉଛି ରାସ୍ତା। କାହାରି ନଜର ନାହିଁ। ପୁଣି କେଉଁଠି ଗର୍ତ୍ତ ସୃଷ୍ଟି କଲାଣି।ଉଭୟ ପାର୍ଶ୍ୱର ସର୍ଭିସ୍ ରୋଡର ଫିନିସିଙ୍ଗ କାମ ହୋଇ ନଥିବାରୁ ଦଶହରା ପୁର୍ବରୁ ଉଭୟ କଡର ସର୍ଭିସ୍ ରୋଡର ସ୍ଥାୟୀତ୍ୱ ନେଇ ସନ୍ଧେହ ପ୍ରକାଶ ପାଇଛି । ପୁନଶ୍ଚ ନାଳ ଗୁଡିକରେ ମଳି ଆବର୍ଜ୍ଜନା ସହିତ ପାଣି ଜମି ରହିବା କାରଣରୁ ଦୁର୍ଗନ୍ଦ ସହିତ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନାଳ ସଫା ରଖିବା ସହ ଗର୍ତ୍ତ,ଖାଳ ପୋତି ଟାୟାର,ବୋତଲ,ଭଙ୍ଗା ହାଣ୍ଡି,କଟା ପଇଡ ଭଳି ଯେଉଁଥିରେ ପାଣି ଜମି ରହିବା ଭୟ ରହିଛି ତାକୁ ପରିସ୍କାର କରିବାକୁ ବ୍ୟାପକ ସଚେତନତା କରୁଥିଲେବି ଅସଲରେ ଗ୍ରାମାଞ୍ଚଳ ଗୁଡିକରେ ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗର ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ କି ପ୍ରଶାସନିକ ସମ୍ମନ୍ୱୟ ନାହିଁ।କେହି କାହାକୁ ଖାତିର କରୁନଥିବାରୁ ଠିକା ସଂସ୍ଥାବି ତା ମର୍ଜିରେ କାମ କରୁଛି। କିନ୍ତୁ ଯଦି ଏଭଳି ଅବସ୍ଥା ଜାରି ରୁହେ ତେବେ ପଡିଆବାହାରେ ମ୍ୟାଲେରିଆ,ଡେଙ୍ଗୁ ଭଳି ଭୟାନକ ରୋଗର ଆଶଙ୍କା ରହୁଥିବା ପୁଣି ଚେତାଇ ଦେଇଛନ୍ତି ଅଞ୍ଚଳର ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ । ଗତ ୨ ବର୍ଷ ଧରି ଏହି ନାମ କାମ ସଂପୁର୍ଣ୍ଣ କରାଯିବାକୁ ଏଏନଏଚଆଇ କର୍ତ୍ତୁପକ୍ଷଙ୍କ ସହିତ ସ୍ଥାନୀୟ ତହସିଲଦାର,ସଦର ପୋଲିସ,ଏସଡିପିଓ ସଦର,ଉପଜିଲ୍ଲାପାଳଙ୍କ ମିଳିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ନିଷ୍ପତ୍ତିରେ ରହିଗଲା। ଏପରିକି ଏନଏଚଏଆଇ ପିଡି ଓ ଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅଭିଯୋଗ ଆଲୋଚନା ସତ୍ତ୍ୱେ ଫଳ ଶୁନ ରହୁଛି। ଯାହା ଫଳରେ ଗତ ବର୍ଷ ପରି ଏହି ଅଞ୍ଚଳରୁ ଡେଙ୍ଗୁ ଜ୍ୱରରେ ମୃ୍ତ୍ୟୁ ହୋଇଥିବା ଭଳି ଚଳିତ ବର୍ଷ ମଧ୍ୟ ଏଭଳି ପୁନରାବୃତ୍ତିର ଆଶଙ୍କା ଉପୁଜିଲାଣି।ହୁଗଲା ପ୍ରଶାସନର ଦକ୍ଷତା ଅଭାବରୁ ପଡିଆବାହାଲରେ ଏଭଳି ଅବସ୍ଥା ଲାଗି ରହିଛି ନାଁ ଏଥିରେ ଆଉ କିଛି କାରଣ ରହିଛି ତାହା ସ୍ୱଷ୍ଟ ତ ହେଉନି ସତ କିନ୍ତୁ ବିଭାଗିୟ ଦୋଷ ଲଦାଲଦିରେ ସରକାରଙ୍କ ପ୍ରଗତିର ପ୍ରଚାର ବିପରୀତ ମୁଖୀ ହେବା ଏହା ଏକ ଜ୍ୱଳନ୍ତ ଉଦାହରଣ।