Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଅଣ୍ଟ ବର୍ଷା ଭରଣା କଲା ଗତ ୫ ଦିନର ବର୍ଷା, ରାଜ୍ୟରେ ୩% ଅଧିକ ବର୍ଷା ରେକର୍ଡ

ଭୁବନେଶ୍ଵର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବହୁତ ବିଳମ୍ବ ଘଟିଲା। ଜୁନ ଏବଂ ଜୁଲାଇ ମାସରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉପୁଜିଲା। ଗୁରୁତର ଭାବେ ପ୍ରବାହିତ ହେଲା ଚାଷ କାର୍ଯ୍ୟ। କିନ୍ତୁ ଅଗଷ୍ଟ ମାସ ବେଳକୁ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ଗତ ଦିନରେ ରାଜ୍ୟ ୫ ଦିନ ବର୍ଷାର ପରିମାଣ ନିଅଣ୍ଟିଆ ସ୍ଥିତିକୁ ଭରଣା କରି ଆହୁରି ୩% ଅଧିକ ବର୍ଷା ରେକର୍ଡ କରି ସରିଲାଣି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍ ୧ରୁ ଅଗଷ୍ଟ ୫ ମଧ୍ୟରେ ରାଜ୍ୟରେ ୬୩୪.୪ ମିମି ବର୍ଷା ହୋଇସାରିଲାଣି। ଯାହାକି ଏହି ସମୟରେ ହେବାକୁ ଥିବା ବର୍ଷା ୬୧୫.୬ ମିମି ତୁଳନାରେ ୩% ଅଧିକ। ଏହି ସମୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୦୮ ମିମି ବର୍ଷା ହୋଇଛି, ଯାହା ସ୍ଵାଭାବିକଠୁ ୬୫% ଅଧିକ। ସେହିଭଳି ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ ଓ ମାଲକାନଗିରି ଆଦି ୮ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଯାଇଛି। କିନ୍ତୁ ରାଜ୍ୟର ୫ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୬ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ ହୋଇଛି।

ଏବେ ଚାଷ କାର୍ଯ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ରୁଆ ଏବଂ ବେଉଷଣ କାମରେ ଜୁଟି ଯାଇଛନ୍ତି ଚାଷୀ ଭାଇ। କିନ୍ତୁ କିଛି ଜିଲ୍ଲାରେ ଖେତଗୁଡ଼ିକରେ ଏତେ ପାଣି ଭରି ରହିଛି ଯେ, ଚାଷ କାମ ଅଟକି ରହିଛି। ପାଣି କମିବା ପରେ ଉକ୍ତ ଅଞ୍ଚଳରେ ଚାଷ କାମ ସ୍ଵାଭାବିକ ହେବ ବୋଲି ଆଶା କରାଯାଉଛି। ମୋଟାମୋଟି ଭାବେ ବିଗତ ଦିନର ବର୍ଷା ଚାଷୀଙ୍କ ମନକୁ ଆଶ୍ଵସ୍ତି ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ