Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ପାଇଁ ଅଷ୍ଟ୍ରେଲିଆର ୧୮ ଜଣିଆ ଦଳ ଘୋଷଣା, ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩କୁ ଆଉ ଦୁଇ ମାସରୁ କମ ସମୟ ରହିଛି। ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏହି କ୍ରମରେ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ନିଜର ବିଶ୍ଵକପ୍ ଦଳ ଘୋଷଣା କରିଛି। ଭାରତରେ ଖେଳା ଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ୧୮ ଜଣିଆ ଦଳ ଘୋଷଣା କରିଛି। କିନ୍ତୁ ବିଶ୍ଵକପରେ ୧୫ ଜଣ ଖେଳାଳି ହିଁ ଖେଳି ପାରିବେ।

ଅଷ୍ଟ୍ରେଲିଆ ବିଶ୍ଵକପ୍ ପାଇଁ ନିଜର ୧୮ ଜଣିଆ ପ୍ରାରମ୍ଭିକ ଦଳରେ ଚକିତ କରି ଦେବା ଭଳି ଖେଳାଳିଙ୍କ ଚୟନ କରିଛି। ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା ଲେଗ୍ ସ୍ପିନର ତନବୀର ସାନ୍ଧା ଏବଂ ଅଲରାଉଣ୍ଡର ଆରୋନ ହାର୍ଡିଙ୍କ ଚୟନ କରିଛି। କିନ୍ତୁ ଟେଷ୍ଟ ଦଳର ତାରକା ବ୍ୟାଟର ମାର୍ନସ ଲାବୁସେନଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଛି। ବିଶ୍ଵକପ୍ ପାଇଁ ପାଟ୍ କମିନ୍ସଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି।

ଭାରତରେ ଅକ୍ଟୋବର ୫ ତାରିଖରୁ ବିଶ୍ଵକପ୍ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଅକ୍ଟୋବ ୮ରେ ଭାରତ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଭାରତର ପରିସ୍ଥିତିକୁ ଆଖି ଆଗରେ ରଖି ଅଷ୍ଟ୍ରେଲିଆ ଅଧିକରୁ ଅଧିକ ସ୍ପିନର ଦଳରେ ରଖିବାକୁ ଚେଷ୍ଟା କରିଛି। କିନ୍ତୁ ଚୂଡ଼ାନ୍ତ ୧୫ ଜଣିଆ ଦଳରେ ତବବୀର ସାନ୍ଧାଙ୍କ ପରି ଖେଳାଳିଙ୍କୁ ସାମିଲ୍ କରାଯିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଦଳ
ପାଟ୍ କମିନ୍ସ(ଅଧିନାୟକ), ଡେଭିଡ୍ ଓ୍ଵାର୍ଣ୍ଣର, ଷ୍ଟିଭ୍ ସ୍ମିଥ, ସିନ ଏବଟ, ଏଷ୍ଟନ ଆଗର, ଆଲେକ୍ସ କେରୀ, ନାଥନ ଏଲିସ, କ୍ୟାମେରୁନ ଗ୍ରୀନ, ଆରୋନ ହାର୍ଡି, ଜୋସ ହେଜେଲଉଡ, ଟ୍ରେଭିସ୍ ହେଡ୍, ଜୋସ ଇଙ୍ଗ୍ଲିସ, ମିଚେଲ୍ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ତନବୀର ସାନ୍ଧା, ମିଚେଲ୍ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍ ଓ ଆଡମ ଜାମ୍ପା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ