ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ ପଞ୍ଚାୟତ ର ଘିଚାପାଲି ଗ୍ରାମବାସୀ ମଙ୍ଗଳବାର ଦିନ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ଜମି ର ବେଆଇନ ଭାବେ ଦିଆଯାଇଥିବା ଜମିପଟ୍ଟା ରଦ୍ଦ କରିବାକୁ ଦାବୀ କରିଛନ୍ତି । ଏନେଇ ଗ୍ରାମର ଶତାଧିକ ମହିଳା ପୁରୁଷ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଓ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ଆସି ବୀରମହାରାଜପୁର ତହସିଲଦାର ବିବୁଧ ଗଣନାୟକ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ପତ୍ରରେ ଜଣାଇଛନ୍ତି ଭାଲୁଡୁଙ୍ଗୁରୀ ଜଙ୍ଗଲ ଜମି ର ଖାତ ନମ୍ବର ୩୮ କୁ ବନ ବିଭାଗର କଥିତ ଅନୁମୋଦନ ପରେ ଘିଚାପାଲି ଗ୍ରାମବାସୀ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରି ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ । ଏବେ ଉକ୍ତ ଜଙ୍ଗଲ ଜମିରେ ଘିଚାପାଲି ଗ୍ରାମବାସୀ ନିର୍ଭର କରୁଛନ୍ତି।ଏହା ସହିତ ପ୍ରାୟ ୫ ହଜାର ପଶୁ ସମ୍ପଦ ବିଚରଣ କରିଥାନ୍ତି । ଦୀର୍ଘ ୫୦ରୁ ୬୦ ବର୍ଷ ହେବ ଏହି ଜଙ୍ଗଲ ଜମି ଉପରେ ଘିଚାପାଲି ଗ୍ରାମବାସୀ ବ୍ୟବହାର କରି ଆସୁଛନ୍ତି । ମାତ୍ର ଭାଲୁଡୁଙ୍ଗୁରୀ ଜଙ୍ଗଲର ଖାତା ନଂ ୩୮ ରୁ ଏନକ୍ରୋଜମେଣ୍ଟ କେସ ନଂ ୬୬୬/୨୦୦୦ ଆଦେଶମତେ ଖାତା ନଂ ୩୫/୧୨୭ କୁ ଅର୍ଜୁନ ପଧାନ ଙ୍କ ସ୍ତ୍ରୀ ସୁଭଦ୍ରା ପଧାନ , ଖାତା ନଂ ୩୫/୧୨୮ କୁ ଅର୍ଜୁନ ପଧାନ ଙ୍କ ପୁଅ ଉମାକାନ୍ତ ପଧାନ , ଖାତା ନଂ ୩୫/୧୨୬ କୁ ଅର୍ଜୁନ ପଧାନ ଙ୍କ ପୁଅ ରମାକାନ୍ତ ପଧାନ , ଖାତା ନଂ ୩୫/୭୭ କୁ ମଙ୍ଗୁଳୁ ବେହେରା ଙ୍କ ପୁଅ ପ୍ରହଲ୍ଲାଦ ବେହେରା , ଏନକ୍ରୋଜମେଣ୍ଟ କେସ ନଂ ୯୮/୨୦୦୫ ଖାତା ନଂ ୩୫/୩୮ କୁ ମଙ୍ଗୁଳୁ ବେହେରା ଙ୍କୁ ଏନକ୍ରୋଜମେଣ୍ଟ କେସ ନଂ ୯୯/୨୦୦୫ ରେ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏପରିକି ଜମି ପଟ୍ଟା ପ୍ରଦାନ ସମୟରେ ଗୋଟିଏ ପରିବାର ର ଜଣେ ନାବାଳକଙ୍କ ନାମରେ ମଧ୍ୟ ପଟ୍ଟା ପ୍ରଦାନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସଂପୂର୍ଣ୍ଣ ବେଆଇନ ଅଟେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ବେଆଇନ ଭାବେ ପଟ୍ଟା ପ୍ରଦାନ ଦ୍ବାରା ଅଞ୍ଚଳର ପଶୁ ସମ୍ପଦ ସମେତ ଗ୍ରାମବାସୀ ଙ୍କ ପାଇଁ ସମସ୍ୟା ହେଉଛି । ଉକ୍ତ ସମସ୍ୟା କୁ ନେଇ ଅନେକ ସମୟରେ ଅଭିଯୋଗ କରାଯାଇଛି । ମାତ୍ର ଏଯାଏ ଏହାର କୌଣସି ପଦକ୍ଷେପ ନିଆଯାଇ ନାହିଁ । ବେଆଇନ ଭାବେ ଦିଆଯାଇ ଥିବା ଉକ୍ତ ଜମି ପଟ୍ଟା କୁ ରଦ୍ଦ କରିବାକୁ ଘିଚାପାଲି ଗ୍ରାମବାସୀ ଦାବି କରିଛନ୍ତି । ଗ୍ରାମର ରାଜକୁମାର ସାହୁ , ଶ୍ୟାମ ସୁନ୍ଦର ନନ୍ଦ , ପ୍ରଶାନ୍ତ ସାହୁ , ରାମଚନ୍ଦ୍ର କଲତା , ରତନ ନାଏକ , ବାବୁଲାଲ ସାହୁ , ନରସିଂହ ଚୌଧୁରୀ , ଲୋକନାଥ ଗୁରୁ , ସବଦିଲାଲ ବିଶ୍ବାଳ , ଶଙ୍କର୍ଷଣ ନାଏକ , କୃାଷ୍ଣଚନ୍ଦ୍ର ନନ୍ଦ ଙ୍କ ସମେତ ଅନେକ ଲୋକଙ୍କ ଦସ୍ତଖତ ଥିବା ଦାବୀପତ୍ର ପ୍ରଦାନ କରିଛନ୍ତି । ଏନେଇ ବୀରମହାରାଜପୁର ତହସିଲଦାର ବିବୁଧ ଗଣନାୟକ ଙ୍କୁ ପଚାରିବାରୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ଯଦି ସେମିତି ଭୁଲ ହୋଇଥିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ବେଆଇନ ଜମିପଟ୍ଟା କୁ ରଦ୍ଦ କରିବାକୁ ତହସିଲଦାର ଙ୍କୁ ଦାବୀ ଜଣାଇଲେ ଘିଚାପାଲି ଗ୍ରାମବାସୀ
