Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌସୁମୀ ଦୁର୍ବଳ, ଏବେ ଓଡ଼ିଶାରେ ବର୍ଷା ନାହିଁ, ଉପକୂଳରେ ଗୁଳୁଗୁଳି

ଭୁବନେଶ୍ଵର: ଅଗଷ୍ଟ ମାସର ପ୍ରଥମ ସପ୍ତାହ ବର୍ଷା ବୁଡ଼ାଇବା ପରେ ଓଡ଼ିଶାରେ ମୌସୁମୀ ଦୁର୍ବଳ ହୋଇପଡ଼ିଛି। ଫଳରେ ଓଡ଼ିଶାରେ ବର୍ଷା ପରିମାଣ କମିଛି। କିନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ନେଇ ସେ ଆକଳନ କରିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୧ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ୧୦ ମିମି ତୁଳନାରେ ୯୯% କମ୍‌।

ସେପଟେ ଦୁର୍ବଳ ମୌସୁମୀ ହେତୁ ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ଲାଗି ରହିଛି। ବାଲେଶ୍ଵର ସମେତ କେତେକ ଜିଲ୍ଲାରେ ଆଜି ଦିନର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ବାଲେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ପାରାଦୀପରେ ୩୫.୬, ଜଗତ୍‌ସିଂହପୁରରେ ୩୫.୫, ପାରଳାଖେମୁଣ୍ଡିରେ ୩୫.୪, ଚାନ୍ଦବାଲିରେ ୩୫.୩, ପୁରୀରେ ୩୫.୨, ମାଲକାନଗିରି ଓ ଯାଜପୁରରେ ୩୫ ଡିଗ୍ରି ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ମୌସୁମୀ ଦୁର୍ବଳ କାରଣରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଯଦି ମୌସୁମୀ ବର୍ଷା କଥା ଦେଖିବା ଜୁନ୍‌ରୁ ଆଜି ସୁଦ୍ଧା ରାଜ୍ୟରେ ୬୪୫.୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୬୬୬.୦ ମିମି ହେବା କଥା। କେନ୍ଦ୍ରାପଡ଼ା ସମେତ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ଯାଜପୁର, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ଯେତେବେଳେ କି ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ