Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମମାଟିରେ ପହଞ୍ଚିଲା ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯାଦା ସହ ଅନ୍ତିମ ସଂସ୍କାର

ଆନନ୍ଦପୁର: ଜନ୍ମମାଟିରେ ପହଞ୍ଚିଲା ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ବିରାଟ ଶୋଭାଯାତ୍ରାରେ ସୁଶାନ୍ତଙ୍କ ପାର୍ଥିବ ଶରୀର ଗାଁକୁ ନିଆଯାଇଛି। ଏହା ପରେ ଗାଁ ବୈତରଣୀ ନଦୀକୂଳ ଶ୍ମଶାନରେ ସୁଶାନ୍ତଙ୍କ ରାଷ୍ଟ୍ରୀୟ ମର୍ଯାଦା ସହ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ସହିଦଙ୍କ ଗାର୍ଡ ଅଫ ଅନର ଦିଅାଯାଇଥିଲା। ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ଶୋକାକୁଳ ମାହୋଲ ଦେଖିବାକୁ ମିଳିଥିଲା। ପିଲାଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ୍ ହୋଇ ସହିଦ ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।

ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ପୂର୍ବାହ୍ନ ସାଢେ ନଅଟାରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏକ ବିଶାଳ ଶୋଭାଯାତ୍ରାରେ ଘସିପୁରା, ଶାଳପଡା, ଆନନ୍ଦପୁର ବ୍ରିଜ ଛକ, ବଡ଼ଦାଣ୍ଡ ଦେଇ ମରଶରୀର ୬ ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା। ସି ଆର୍ ପି ଏଫ୍ ପକ୍ଷରୁ ତୋପ ସଲାମି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସହିଦ୍ ସୁଶାନ୍ତ ଅମର ରହେ ଧ୍ୱନିରେ ଚାରିଆଡ଼େ ପ୍ରକମ୍ପିତ ହୋଇଥିଲା।

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡିପଡିଛି। ତାଙ୍କ ପରିବାର ଏବେ ଦୟନୀୟ ଅବସ୍ଥାରେ ଅଛନ୍ତି। ସୁଶାନ୍ତଙ୍କ ଆନନ୍ଦପୁର ଘରେ ଏବେ କେହି ନାହାନ୍ତି ଏବଂ ଘରେ ତାଲା ପଡ଼ିଛି। କାରଣ କିଛି ବର୍ଷ ଅନ୍ତରରେ ତାଙ୍କ ପରିବାରର ବାପା ଓ ଦୁଇ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୁଶାନ୍ତଙ୍କ ବଡଭାଇ ମଧ୍ୟ ସିଆରପିଏଫରେ ଥିଲେ, ୨ ବର୍ଷ ତଳେ ସେ ବି ସହିଦ ହୋଇଥିଲେ।

ଗତକାଲି ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ ଯବାନ ତଥା ଓଡ଼ିଆ ଯବାନ ସହିଦ ହୋଇଥିଲେ। ସହିଦ ଯବାନ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆ। ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ଓ୍ଵାର୍ଡରେ ସୁଶାନ୍ତଙ୍କ ଘର। ହମଲାରେ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ରାଞ୍ଚି ସ୍ଥାନାନ୍ତର କରାଯାଇଛି। ଗୁରୁତର ଯବାନ ହେଉଛନ୍ତି ମୁନ୍ନା ଯାଦବ ଏବଂ ତାଙ୍କ ଘର ଉତ୍ତର ପ୍ରଦେଶର।

ସୂଚନାଯୋଗ୍ୟ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୋଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ ଚଳାଇ ଥିବା ବେଳେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ଯବାନ। ତେବେ ନକ୍ସଲଙ୍କ ଗୁଳିମାଡରେ ସିଆରପିଏଫର ଦୁଇ ଜଣ ଯବାନ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ ଉଦ୍ଧାର କରି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା। ତେବେ ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ।  ଅନ୍ୟପଟେ ମୁନ୍ନାଙ୍କ ଅବସ୍ଥା ମଧ୍ୟ ଏବେ ବି ଗୁରୁତର ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ