ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୮ରେ ଲଘୁଚାପ !


ଭୁବନେଶ୍ଵର: ଉତ୍ତର-ପୂର୍ବ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏହାରି ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଆଜିଠୁ ଆଗାମୀ ୪ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗ ଅନୁଯାୟୀ, ବୁଧବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ ।

ସେହିପରି ଗୁରୁବାର ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।