Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଢସହ ବର୍ଷ ପୂର୍ବର ରଘୁନାଥ ମନ୍ଦିର ରୂପାନ୍ତରଣ ପାଇଁ ଦାବି,

ବେଲଗୁଣ୍ଠା,17/08, ବେଲଗୁଣ୍ଠା ବ୍ଳକ୍ ତନରଡା ଠାରେ ଅବସ୍ଥିତ ଦେଢ ଶହ ବର୍ଷ ପୂର୍ବର ଐତିହାସିକ ବିଷ୍ଣୁ ମନ୍ଦିର ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୁ ବିଜେ ପୀଠ I ଏହି ମନ୍ଦିରଟି ଓଡି଼ଶାର ବରପୁତ୍ର ବିଜୁପଟ୍ଟନାୟକଙ୍କର ପୈତୃକ ଗ୍ରାମ ନୂଆଁ ଗାଆଁ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ରହିଥିବା ବେଳେ ଏହି ମନ୍ଦିର ସହିତ ବିଜୁପଟ୍ଟନାୟକଙ୍କର ବାଲ୍ୟ ଜୀବନର ବହୁ କାହାଣୀ ଯୋଡ଼ି ହୋଇ ରହିଥିବା ପ୍ରାଧ୍ୟାପକ ରାମହରି ପାତ୍ର ଦାବି କରିଛନ୍ତି I ପ୍ରାଧ୍ୟାପକ ରାମହରି ପାତ୍ରଙ୍କ ସୂଚନା ପ୍ରକାରେ ଏହି ମନ୍ଦିରର ଐତିହ୍ୟ ଅତି ଋଦ୍ଧିମନ୍ତ I ମନ୍ଦିରରେ ବର୍ଷସାରା ବିଭିନ୍ନ ଯାନିଯାତ୍ରା ପାଳନ ହୋଇଥାଏ I ବିଶେଷ କରି ନବଦିନାତ୍ମକ ରାମ ନବମୀ ଯାତ୍ରା, ଭାଗବତ ଜନ୍ମ ,ରାସ ଉତ୍ସବ ଅତି ଉତ୍ସାହର ସହିତ ପାଳନ କରାଯାଇଥାଏ I ସେହିପରି ମନ୍ଦିରରେ ପୁରୀରୁ ଆସିଥିବା ତାଳପତ୍ର ପୋଥି ସମେତ ଅନେକ ଐତିହାସିକ ସାମଗ୍ରୀ ମଧ୍ଯ ଗଚ୍ଛିତ ହୋଇ ରହିଛି I କିନ୍ତୁ ବର୍ତ୍ତମାନ ସୁଦ୍ଧା ମନ୍ଦିରର ଉନ୍ନତି କରଣ ପାଇଁ କୌଣସି ସରକାରୀ ଅଧିକାରୀ କିମ୍ବା ଜନପ୍ରତିନିଧି ଦୃଷ୍ଟି ଦେଇନଥିବାରୁ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିବା ସହିତ ମନ୍ଦିର ପରିଚାଳନାରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି I ପୂର୍ବରୁ କିଛି ଚାଷୀ ଠାକୁରଙ୍କ ନାମରେ ଥିବା ଜମିକୁ ଚାଷ କରି ଯେଉଁ କର ଦେଉଥିଲେ ସେଥିରେ ଠାକୁରଙ୍କର ଦୈନିକ ଭୋଗ ଏବଂ ଜାନିଯାତ୍ରା ଖର୍ଚ୍ଚ କରାଯାଉଥିଲା I କିନ୍ତୁ ବର୍ତ୍ତମାନ ଲୋକେ ବିଭିନ୍ନ କାରଣରୁ ଚାଷରୁ ମୁହଁ ଫେରାଇ ନେଉଥିବା ଯୋଗୁଁ ମନ୍ଦିର ପରିଚାଳନା କଷ୍ଟକର ହୋଇପଡ଼ିଛି I ତେଣୁ ଏହି ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ସହିତ ମନ୍ଦିରର ରୂପାନ୍ତରଣ ପାଇଁ ଆବାହକ ପ୍ରାଧ୍ୟାପକ ରାମହରି ପାତ୍ର ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହିତ ଗଞ୍ଜାମ ଜିଲ୍ଳାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I ମନ୍ଦିର ଟ୍ରଷ୍ଟ୍ ଆବାହକ ପ୍ରାଧ୍ୟାପକ ରାମହରି ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଟ୍ରଷ୍ଟ୍ ର ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ମନୋଜ କୁମାର ପଟ୍ଟନାୟକ,ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଅବସରପ୍ରାପ୍ତ ସିଆରପିଏଫ୍ ଅଧିକାରୀ ଶିଶିର କାନ୍ତ ପଟ୍ଟନାୟକ,ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ରାମପ୍ରସାଦ ପଟ୍ଟନାୟକ ପ୍ରମୁଖ ଜିଲ୍ଳାପାଳଙ୍କୁ ମନ୍ଦିରର ଉନ୍ନତିକରଣ ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି I ଏହି ସ୍ମାରକପତ୍ରରେ ମନ୍ଦିରର ଗୁରୁତ୍ୱପୂର୍ଣ୍ଣ ଆସବାବପତ୍ର ରଖିବା ପାଇଁ ଏକ ଭଣ୍ଡାର ଗୃହ ନିର୍ମାଣ , ଏକ ବୈଠକ ଗୃହ ନିର୍ମାଣ ,ମନ୍ଦିର ପାର୍ଶ୍ୱରେ ଥିବା ଧର୍ମଶାଳାର ପୁରରୁଦ୍ଧାର,ମନ୍ଦିର ପଛପଟେ ପୁଷ୍ପ ଏବଂ ତୁଳସୀ ଉଦ୍ୟାନ ନିର୍ମାଣ,ରଘୁନାଥ ପୁଷ୍କରିଣୀକୁ ଆଦର୍ଶ ପୁଷ୍କରିଣୀରେ ରୂପାନ୍ତରଣ ପାଇଁ ଉଲ୍ଲେଖ ରହିଛି I ବିଶେଷ କରି ରାଜ୍ୟ ସରକାରଙ୍କର 5T ବିଭାଗ ଆନୁକୂଲ୍ୟରେ ରାଜ୍ୟ ସରକାର ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରି ମନ୍ଦିରଟିର ରୂପାନ୍ତରଣ କାର୍ଯ୍ୟ ପାଇଁ ପ୍ରାଧ୍ୟାପକ ଶ୍ରୀ ପାତ୍ର ରାଜ୍ୟ ସରକାର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି I ଏହି ସମ୍ପର୍କରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରୁ ଏହି ମନ୍ଦିର ସମ୍ପର୍କରେ ଅନୂଧ୍ୟାନ କରିବା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ମଧ୍ଯ ନିର୍ଦ୍ଦେଶନ ଆସିଥିବା ସୂଚନା ମିଳିଛି I