ଗାଁ ଗହଳିରେ ଆଉ ଶୁଭୁନି ଢ଼ିଙ୍କିର ଢକ୍ ଢକ୍ ଶବ୍ଦ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଧୁନିକ ଯୁଗରେ ସମୟ ବଦଳିବା ସହ ବହୁ ପୁରାତନ ସାମଗ୍ରୀ ଓ ଚଳଣି ମଧ୍ୟ ବଦଳି ଯାଇଛି । ବୈଜ୍ଞାନିକ ଯୁଗରେ ନୂଆ ନୂଆ ମେସିନର ଉଦ୍ଭାବନ ହେବା ସହ ସେଗୁଡ଼ିକର ବ୍ୟବହାର ମଧ୍ୟ ବହୁଳ ଭାବରେ ହେଉଛି । ପୂର୍ବରୁ ସମାଜରେ ବହୁଳ ଭାବରେ ବ୍ୟବହାର ହେଉଥ‌ିବା ବହୁ ପାରମ୍ପରିକ ସାମଗ୍ରୀ ଏବେ ଆଧୁନିକତାର ଛାପରେ ଲୋପ ପାଇବାକୁ ବସିଲାଣି । ସେଥି ମଧ୍ଯରେ ହଜି ଯାଇଛି ଗାଁ ଗହଳରେ ଦେଖିବାକୁ ମିଳୁଥିବା କାଠରେ ତିଆରି ହୋଇଥିବା ଢିଙ୍କି । ବହୁ ବର୍ଷ ଧରି ଗାଁ ଗହଳରେ କାଠଢିଙ୍କିର ଆବଶ୍ୟକତା ରହିଥିଲା । ଏହା ମାଧ୍ୟମରେ ଧାନ କୁଟାଯାଇ ଯେଉଁ ଚାଉଳ ଓ ଅନ୍ୟାନ୍ୟ ଶସ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା ସେଥ‌ିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ଵ ରହୁଥିଲା ଓ ପାଟିକୁ ରୁଚିକର ମଧ୍ୟ ଲଗୁଥିଲା । ବର୍ତ୍ତମାନ ଧାନକଳରେ ପେସା ହେଉଥିବା ଚାଉଳରେ ପୂର୍ବଭଳି ଆଉ ସ୍ଵାଦ ଆଉ ରହୁନାହିଁ । ପୂର୍ବକାଳରେ ଗାଁ ଗଣ୍ଡାର ପ୍ରତି ପରିବାରରେ ବହୁଳ ଭାବରେ ଢିଙ୍କିର ବ୍ୟବହାର କରାଯାଉଥିଲା । କିନ୍ତୁ ଧାନକଳ ଆସିବାରୁ ଧିରେ ଧିରେ ଢିଙ୍କିର ଚାହିଦା କମିବାରେ ଲାଗିଛି । ଆଗଭଳି ଏବେ ଘରେ ଘରେ ଢିଙ୍କିର ବ୍ୟବହାର ମଧ୍ୟ ଦେଖିବାକୁ ମିଳୁନାହିଁ । ଧାନକଳ ଦ୍ୱାରା ଚାଉଳ ପ୍ରସ୍ତୁତ କରିବା ପାଇଁ ଲୋକମାନଙ୍କୁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡୁନାହିଁ । ପୂର୍ବ କାଳରେ ଧାନକଳ ନ ଥ‌ିବାରୁ ଢ଼ିଙ୍କିର ଆଦର ରହିଥିଲା । ଗାଁ ଗହଳିରେ ବସବାସ କରୁଥିବା କାଁ ଭାଁ କିଛି ଘରେ ଢିଙ୍କି ଦେଖିବାକୁ ମିଳୁଛି । ଏବେ ଢିଙ୍କିର ଢକ୍ ଢକ୍ ଶବ୍ଦ ଶୁଭୁ ନ ଥିବାବେଳେ ଢିଙ୍କି କୁଟା ଚାଉଳ ଏବେ ଦୁର୍ଲ୍ଲଭ ହୋଇଛି । ଢ଼ିଙ୍କି କୁଟା ସମୟରେ ମହିଳାମାନେ ଏକାଠି ବସି ଢ଼ିଙ୍କି କୁଟା କାର୍ଯ୍ୟ କରିବା ସହିତ ସେମାନଙ୍କ ମଧ୍ୟରେ ଅନେକ ପ୍ରକାର ନିବିଡ଼ତା ବାନ୍ଧି ହୋଇ ଯାଉଥିଲା । ଏଥିସହ ଶାରୀରିକ ବ୍ୟାୟମ ଭାବେ ମଧ୍ୟ ଢ଼ିଙ୍କିଟି ସାହାଯ୍ୟ କରୁଥିଲା । ପରିବର୍ତ୍ତନଶୀଳ ଦୁନିଆରେ ଆବଶ୍ୟକତା ଅନୁସାରେ ଚାହିଦା ପୂରଣ ନ କରିପାରିବା, ଶ୍ରମ ଦାନର ଅଭାବ ଓ ଅଳସୁଆମି ପଣ ଯୋଗୁ ଗାଁ ଗହଳିରେ ଢ଼ିଙ୍କି ଭଳି ଅନେକ ଜିନିଷ ହଜି ଯିବାକୁ ବସିଲାଣି ।