Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟର ୧୦ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି, ୨୫ ତାରିଖରୁ ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ମୌସୁମୀ ସହ ଲଘୁଚାପ ବର୍ଷା ପରେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତିରେ ସୁଧାର ଆସିନି । ରାଜ୍ୟର ଏବେ ମଧ୍ୟ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ଏବଂ ୨୫ ତାରିଖରୁ ବର୍ଷାର ପରିମାଣ ବଢିପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ଜୁନ ୧ତାରିଖରୁ ଅଗଷ୍ଟ ୧୮ତାରିଖ ଯାଏ ରାଜ୍ୟରେ ହାରାହାରି ବର୍ଷା ପରିମାଣ ସ୍ବାଭାବିକ ରହିଛି । କିନ୍ତୁ ୧୦ ଜିଲ୍ଲାରେ କମ ବର୍ଷା ହୋଇଛି । ଏଠାରେ ୪୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ନବରଙ୍ଗପୁରରେ ନିଅଣ୍ଟିଆ ସ୍ଥିତି ସବୁଠୁ ଅଧିକ ଥିବା ବେଳେ ରାଜ୍ୟର ଦୁଇଟି ଜିଲ୍ଲାରେ ସ୍ଵାଭାବିକଠୁ ଅଧିକ ବର୍ଷା ହୋଇଛି। ୨୦ ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଛି।

ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୫ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ, ପୂର୍ବଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ଦେହରି, ରାଞ୍ଚି ମଧ୍ୟଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଯାଏଁ ଲମ୍ବିଛି । ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବାଦ୍ ଦେଲେ ରାଜ୍ୟରେ ଯେତିକି ବର୍ଷା ହେବା କଥା ତାହା କମ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ