Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହି ହେଲାନି ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା, ଆତ୍ମହତ୍ୟା ଉଦ୍ୟମ କରି ୨ ଗୋଡ଼ ହରାଇଲେ ହୋମଗାର୍ଡ

କଟକ: ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ ଘରେ ଯଦି ନିର୍ଯାତନା ଦେବା ପରି ଘଟଣା ଘଟେ ତେବେ ସାଧାରଣ ଜନତା କାହାଠାରେ ଅଭିଯୋଗ କରିବେ। ବାଡ଼ ଯଦି ଫସଲ ଖାଏ ତେବେ କହିବା କାହାକୁ। ଠିକ୍ ଏମିତି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରି ନିଜର ୨ ଗୋଡ଼ ହରାଇଛନ୍ତି। ନିର‌୍ୟାତନାର ଶିକାର ହୋମର୍ଗାଡ ହେଲେ ଅନୁଗୋଳର ସୈରିନ୍ଦ୍ରୀ ସାହୁ। ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିଲେ ହେଁ ପୋଲିସ ତଦନ୍ତ କିନ୍ତୁ ଆଗକୁ ବଢି ପାରି ନାହିଁ। ମହିଳା ହୋମଗାର୍ଡ ଜଣକ ଏ ସମ୍ପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଘଟଣାକୁ ଚାପି ଦେବାକୁ ଜୋରଦାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଅନୁଗୋଳର ରାଣୀଗୋଡ଼ାର ସୈରିନ୍ଦ୍ରୀ ସାହୁ ଗତ ୧୯ ବର୍ଷ ଧରି ହୋମଗାର୍ଡ ଭାବେ କାର‌୍ୟ୍ୟ କରି ଆସୁଛନ୍ତି। ତେବେ ସାତ ମାସ ହେବ ଅନୁଗୋଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରେ ତାଙ୍କୁ ଘରୋଇ କାମରେ ନିୟୋଜିତ କରାଯାଇଥିଲା। ସେଠାରେ ତାଙ୍କ ଦ୍ଵାରା ଯାବତୀୟ କାମ କରାଯାଉଥିଲା ଏବଂ ଟିକେ ଭୁଲ୍ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିବା ସହ ବିଭିନ୍ନ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଚାକିରି ନେଇଯିବାର ଧମକ ମଧ୍ୟ ଦେଉଥିଲେ। ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଧକ୍କା ମାରି ଘରୁ ବାହାର କରି ଦେଇଥିଲେ। ଏଭଳି ନିର‌୍ୟାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଟ୍ରେନ ଲାଇନ୍‌ରେ ଶୋଇ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଞ୍ଚି ଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ସେ ତାଙ୍କ ଦୁଇ ଗୋଡ଼ ହରାଇଛନ୍ତି। ସେ ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କୁ କ୍ଷତିପୂରଣ ଦେବା ସହିତ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ତଦନ୍ତ କରିବାକୁ ସେ ଗତ ୧୩ ତାରିଖ‌ରେ ଉତ୍କଳ ଗୃହରକ୍ଷୀ ମହାସଂଘ, ହୋମଗାର୍ଡ ଡିଜି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ