Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି  ହେବ ପ୍ରଖ୍ୟାତ ଲେଖକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ଵର: ପ୍ରଖ୍ୟାତ କବି ଲେଖକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ୯୫ ବର୍ଷ ବୟସରେ ପରଲୋକ ଘଟିଛି। କିଛି ଦିନ ଧରି ଅସୁସ୍ଥ ଥିଲେ ଜୟନ୍ତ ମହାପାତ୍ର। ଗତକାଲି ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଜୟନ୍ତ ମହାପାତ୍ର ନିମୋନିଆ ଓ ସ୍ନାୟୁ ରୋଗରେ ପୀଡିତ ଥିଲେ ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର କଟକ ଖାନନଗରରେ ଶେଷକୃତ୍ୟ ସମ୍ପନ୍ନ ହେବ। ଜୟନ୍ତ ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।

ଖବର ଅନୁଯାୟୀ, ଅସୁସ୍ଥ ହୋଇପଡିବାରୁ ଅଗଷ୍ଟ ୪ ତାରିଖରେ ଜୟନ୍ତ ମହାପାତ୍ରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରବିବାର ରାତିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ଜୟନ୍ତ ମହାପାତ୍ର ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟର ଅଗ୍ରଗଣ୍ୟ ଭାବେ ପରିଗଣିତ ହୋଇଥାନ୍ତି। ଇଂରାଜୀ ସାହିତ୍ୟ ପାଇଁ ସାହିତ୍ୟ ଏକାଡେମି ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ କବି।

ଡ. ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ଜୟନ୍ତ ମହାପାତ୍ର ବିହାର ପାଟନା ବିଶ୍ବ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରୁ ସ୍ନୋତକୋତ୍ତର ପାସ କରିଥିଲେ। ଏହା ପରେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ପଦାର୍ଥ ବିଜ୍ଞାନରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର କବିତା ସାଧନା ତାଙ୍କୁ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଦେଇଥିଲା । ୨୭ଟି ପୁସ୍ତକ ରଚନା କରିଥିବା ଜୟନ୍ତ ମହାପାତ୍ରଙ୍କର ଇଣ୍ଡିଆନ ସମର, ହଙ୍ଗର, ରିଲେସନ ସିପ, ବେୟାର ଫେସ୍ ସ୍ୟାଡୋ ସ୍ପେସ ଭଳି କିଛି କବିତା ତାଙ୍କର ଆନ୍ତର୍ଜାତିକ ସ୍ତରରେ ଖୁବ ଚର୍ଚ୍ଚିତ ହୋଇଥିଲା।

ସାହିତ୍ୟରେ ସାଧନା ପାଇଁ ୨୦୦୯ ମସିହାରେ ପଦ୍ମଶ୍ରୀ ଉପାଧି ମିଳିଥିଲା। କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉକ୍ରଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ