Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିଲା ସୌରିନ ଭଟ୍ଟଙ୍କ ଅଡ଼ୁଆ, ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ଓଲିଉଡ଼ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବଢିଲା ଅଡ଼ୁଆ। ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଛନ୍ତି। ଫଳରେ ସୌରିନଙ୍କ ଗିରଫଦାରୀ ସମ୍ଭାବନା ଏବେ ବଢି ଯାଇଛି। ଗିରଫଦାରୀ ଏଡ଼ାଇବା ଲାଗି ସେ ଆଗୁଆ ଜାମିନ ଆବେଦନ କରିଥିଲେ। ଯୁବତୀଙ୍କ ସହ ଠକେଇ ଓ ଯୌନ ନିର୍ଯାତନା ପରି ସଙ୍ଗୀନ ଅଭିଯୋଗ ସୌରିନଙ୍କ ଉପରେ ଲାଗିଛି। ପ୍ରାଥମିକ ତଦନ୍ତରୁ ଯୁବତୀଙ୍କ ସହ ସୌରିନଙ୍କ ଶାରୀରିକ ସମ୍ପର୍କର ପ୍ରମାଣ ମିଳିଛି।

ଏହା ପୂର୍ବରୁ ଅଗଷ୍ଟ 7 ତାରିଖରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ କଟକ ମହିଳା ଥାନାରେ ହାଜର ହୋଇଥିଲେ। ଠକେଇ ଓ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୌରିନ ଭଟ୍ଟ ଥାନାରେ ହାଜର ହୋଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ଏପରିକି ମୁଁ ସେ ଅଭିଯୋଗକାରିଣୀ କିଏ ମୁଁ ଚିହ୍ନିନି। ସମୟ ଆସିଲେ ସବୁ ସତ ଜଣା ପଡ଼ିବ ବୋଲି କଣ୍ଠଶିଳ୍ପୀ ସୌରିନ ଭଟ୍ଟ କହିଥିଲେ।

ସୂଚନାଯୋଗ୍ୟ, କଣ୍ଠଶିଳ୍ପୀ ସୌରିନଙ୍କୁ ଅଗଷ୍ଟ ୨୫ ଯାଏ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା। ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସିଆରପିସି ଧାରା ୧୬୪ ଆଧାରରେ ପୀଡ଼ିତାଙ୍କ ବୟାନ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଅଗଷ୍ଟ 26 ତାରିଖରେ ଗିରଫଦାରୀ ଏଡ଼ାଇବାକୁ ସୌରିନ ପୁଣି ଆବେଦନ କରିଥିଲେ। ତେବେ ଆଜିର ଶୁଣାଣିରେ ହାଇକୋର୍ଟରୁ ତାଙ୍କୁ ଝଟକା ଲାଗିଛି। ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି।

ସୂଚନାଯୋଗ୍ୟ, ଗିରଫ ଭୟରେ ଜୁନ ୨୬ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ସେ ନିର୍ଦ୍ଦୋଷ ଏବଂ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇଥିଲେ। ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା କଟକ ମହିଳା ଥାନାରେ ଏତଲା ଦେଇଥିଲେ। ବିହାରର ପ୍ରଲୋଭନ ଦେଖାଇ ଏବଂ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା, ଦୁଷ୍କର୍ମ କରିବା ଓ ଶୋଷଣ କରିବା କଣ୍ଠଶିଳ୍ପୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହା ପରଠୁ ପୋଲିସ ପକ୍ଷରୁ ସୌରିନଙ୍କ ଗିରଫ ପାଇଁ ଉଦ୍ୟମ ଜାରି ରହିଥିଲା। ସୌରିନ ଭଟ୍ଟ ଯୁବତୀଙ୍କ ଅଭିଯୋଗ ପରଠୁ ଫେରାର ଥିବା କୁହାଯାଉଥିଲା।