ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ରର ମୋଦୀ ସରକାରର ଗୋଟିଏ ଘୋଷଣାରେ ସମଗ୍ର ଦେଶରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ବିରୋଧୀ ମେଣ୍ଟ ଇଣ୍ଡିଆର ମୁମ୍ବାଇରେ ବୈଠକ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଗୁରୁବାର ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ୟ୍ୟନ୍ତ ସଂସଦର ସ୍ଵତନ୍ତ୍ର ଅଧିବେଶନର ଘୋଷଣା କରିଛନ୍ତି। ଏହା ପରଠୁ ଅନୁମାନ କରାଯାଉଛି ଯେ, ଅଧିବେଶନରେ ସରକାର ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକ ଗୃହୀତ କରାଇ ପାରନ୍ତି। କିନ୍ତୁ ଏ ପର୍ୟ୍ୟନ୍ତ କିଛି ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ।
ପୂର୍ବରୁ ହୋଇ ସାରିଛି ୪ ନିର୍ବାଚନ
ଯଦି ମୋଦୀ ସରକାର ଦେଶରେ ଏକକ ନିର୍ବାଚନ କରାନ୍ତି ତେବେ ଏହା ପ୍ରଥମ ଥର ଦେଶରେ ଏକ ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ ନାହିଁ। ଏହା ପୂର୍ବରୁ ଦେଶରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଲଗାତାର ଚାରି ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହୋଇ ସାରିଛି।
କିନ୍ତୁ ଏହି ପରମ୍ପରା ୧୯୬୮-୬୯ରେ ବନ୍ଦ କରି ଦିଆଯାଇଥିଲା। କାରଣ କିଛି ରାଜ୍ୟରେ ବିଧାନସଭାକୁ ସମୟ ପୂର୍ବରୁ ଭଙ୍ଗ କରାଯାଇଥିଲା। ସେହି ସମୟଠୁ ଭାରତରେ ନିର୍ବାଚନ ପ୍ରଣାଳୀ ବଦଳିଗଲା। ଏହାକୁ ଲାଗୁ କରିବାକୁ ପୁଣି ଥରେ ଉଦ୍ୟମ ମଧ୍ୟ ହୋଇଛି, କିନ୍ତୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଏହା ହୋଇ ପାରି ନାହିଁ।
ପ୍ରଥମ ନିର୍ବାଚନରେ କଣ ଥିଲା ସ୍ଥିତି ?
ଦେଶରେ ପ୍ରଥମ ଥର ସାଧାରଣ ନିର୍ବାଚନ ୧୯୫୧ ଅକ୍ଟୋବର ୨୫ରୁ ୧୯୫୨ ଫେବୃଆରୀ ୨୧ ଭିତରେ ହୋଇଥିଲା। ସେହି ସମୟରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହୋଇଥିଲା। ସେତେବେଳେ ଲୋକସଭାରେ ୪୯୪ ସିଟ୍ ଥିଲା। ପ୍ରଥମ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୩୬୫ ସିଟ୍, କମ୍ୟୁନିଷ୍ଟ ଅଫ ଇଣ୍ଡିଆକୁ ୧୬, ସୋଲିଷ୍ଟ ପାର୍ଟିକୁ ୧୨, କିଷାନ ମଜଦୁର ପାର୍ଟିକୁ ୯, ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟକୁ ୭, ଗଣତନ୍ତ୍ର ପରିଷଦକୁ ୬, ହିନ୍ଦୁ ମହାସଭାକୁ ୪ ଓ ନିର୍ଦ୍ଦଳୀୟକୁ ୩୭ ସିଟ୍ ମିଳିଥିଲା। ଜବାହରଲାଲ ନେହେରୁ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ହୋଇଥିଲେ।
କେନ୍ଦ୍ରରେ ଇନ୍ଦିରା ଗାନ୍ଧୀ ଭାଙ୍ଗିଲେ ପରମ୍ପରା
ଏହା ପରେ ୧୯୫୭ ଏବଂ ୧୯୬୨ରେ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ବିଜୟଲାଭ କରିଥିଲା ଏବଂ ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୬୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵରେ ମଧ୍ୟ ଏକକ ନିର୍ବାଚନ ହୋଇଥିଲା। ମାତ୍ର ୧୯୭୦ରେ ପାର୍ଟିରେ ବିଦ୍ରୋହ କାରଣରୁ ଇନ୍ଦିରାଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲା। ଏହା ପରେ ସେ ୧୯୭୦ ଡିସେମ୍ବରରେ ଲୋକସଭା ଭଙ୍ଗ କରିବାକୁ ସୁପାରିଶ କରିଥିଲେ। ୧୯୭୧ ମାର୍ଚ୍ଚରେ ପ୍ରଥମ ଥର ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୋଇଥିଲା ଓ ଇନ୍ଦିରା ଗାନ୍ଧୀ ଗରିବି ହଟାଓ ନାରା ଦେଇ ୩୫୨ ସିଟ୍ ସହ ପ୍ରଚଣ୍ଡ ବହୁମତ ହାସଲ କରିଥିଲେ।