୪ ମାସର ଯାତ୍ରାରେ କ’ଣ କରିବ Aditya-L1, ମିଶନରେ କେଉଁ କେଉଁ ପର୍ଯ୍ୟାୟ ରହିଛି, ଗନ୍ତବ୍ୟସ୍ଥଳରେ କେବେ ପହଞ୍ଚିବ ? ଜାଣନ୍ତୁ ବିସ୍ତୃତରେ…

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆଉ ଏକ ଇତିହାସ ରଚିଛି। ଉତ୍ସାହରେ ଭରପୂର ଇସ୍ରୋ ଆଜି ଦିନ ୧୧ଟା ୫୦ ମିନିଟରେ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୭ ଜରିଆରେ ଆଦିତ୍ୟ-ଏଲ୧କୁ ସଫଳତାପୂର୍ବକ ଉତକ୍ଷେପଣ କରିଛି। ସୂର୍ଯ୍ୟର ଅଧ୍ୟୟନ କରିବା ଏହି ମିଶନର ଉଦ୍ଦେଶ୍ୟ। ଉତକ୍ଷେପଣର ଏକ ଘଣ୍ଟା ପରେ ଆଦିତ୍ୟ-ଏଲ୧ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପିତ ହୋଇଛି।
ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଦୁନିଆର ନଜର ଆଦିତ୍ୟ-ଏଲ୧ ମିଶନ ଉପରେ ରହିଛି। ଆଦିତ୍ୟ-ଏଲ୧ କଣ ? ଲଞ୍ଚିଂ ପରେ ମିଶନ ନିଜର ଗନ୍ତବ୍ୟସ୍ଥଳରେ କେବେ ପହଞ୍ଚିବ ? ଏହି ସମୟରେ କଣ କଣ ପ୍ରକ୍ରିୟା ରହିବ ? ପହଞ୍ଚିବା ପରେ ମିଶନ କଣ କଣ କରିବ ? ଆସନ୍ତୁ ବିସ୍ତୃତ ଭାବେ ବୁଝିବା…
ଆଦିତ୍ୟ-ଏଲ୧ କଣ ?
ଆଦିତ୍ୟ-ଏଲ୧ ଇସ୍ରୋର ପ୍ରଥମ ଗବେଷଣାକାରୀ ସୌର ମିଶନ। ଏହା ସୂର୍ଯ୍ୟର ବିସ୍ତୃତ ଅଧ୍ୟୟନ ପାଇଁ ୭ ପେଲୋଡ ନେଇ ମହାକାଶକୁ ଯାତ୍ରା ଆରମ୍ଭ କରି ସାରିଛି । ଏଥିରୁ ୪ ପେଲୋଡ ସୂର୍ଯ୍ୟକିରଣର ନିରୀକ୍ଷଣ କରିବ ଏବଂ ଅନ୍ୟ ୩ ପେଲୋଡ ଚୁମ୍ବକୀୟ କ୍ଷେତ୍ରର ଇନ-ସିଟୁ ମାପଦଣ୍ଡର ଅଧ୍ୟୟନ କରିବ।
ଆଦିତ୍ୟ-ଏଲ୧ରେ ସବୁଠୁ ବଡ଼ ତଥା ବୈଷେୟିକ ଭାବେ ସବୁଠୁ ଆହ୍ଵାନପୂର୍ଣ୍ଣ ପେଲୋଡ ଭିଜିବଲ ଏମିଶନ ଲାଇନ କରୋନାଗ୍ରାଫ ଅର୍ଥାତ ଭିଇଏଲସି ଲଗାଯାଇଛି। ଭିଇଏଲସିକୁ ଭାରତୀୟ ଜ୍ୟୋତିର୍ବିଜ୍ଞାନ ସଂସ୍ଥା ପ୍ରସ୍ତୁତ କରିଛି। ଆଦିତ୍ୟ-ଏଲ୧କୁ ଲାଗ୍ରାଞ୍ଜିଆନ ପଏଣ୍ଟ-୧ ଚାରିପଟେ ପ୍ରଭମଣ୍ଡଳ କକ୍ଷପଥରେ ସ୍ଥାପିତ କରାଯିବ।

ଉତକ୍ଷେପଣ ପରେ କେବେ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବ ?
ଆଦିତ୍ୟ-ଏଲ୧କୁ ଲାଗ୍ରାଞ୍ଜିଆନ ପଏଣ୍ଟ-୧ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୧୨୫ ଦିନର ସମୟ ଲାଗିବ। ଏହି ସମୟରେ ୧୫ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିବ। ଚନ୍ଦ୍ରଯାନ-୩ ପରି ଏହା ମଧ୍ୟ ଅଲଗା ଅଲଗା କକ୍ଷରେ ଗତି କରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଅର୍ଥାତ ଆଦିତ୍ୟ-ଏଲ୧କୁ ସିଧାସଳଖ ପଠାଯାଇ ନାହିଁ।
କଣ କଣ ପ୍ରକ୍ରିୟା ରହିଛି ?
ପ୍ରାରମ୍ଭିକ କକ୍ଷ- ଅନ୍ତରୀକ୍ଷ ଯାନକୁ ଆରମ୍ଭରେ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ କରାଯାଇଛି। ପୁଣି କକ୍ଷକୁ ଅଧିକ ଅଣ୍ଡାକାର ପ୍ରକ୍ରିୟାରେ ରଖାଯିବ।
ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ରର ପ୍ରଭାବରୁ ବାହାର କରାଯିବ।
ମହାକାଶ ଯାନକୁ ପ୍ରଣୋଦନର ଉପଯୋଗ କରି ଏଲ-୧ ବିନ୍ଦୁ ଆଡ଼କୁ ଗତି କରାଯିବ। ଅନ୍ତରୀକ୍ଷ ଯାନ ଯେମିତି ଲାଗ୍ରାଞ୍ଜିଆନ ପଏଣ୍ଟ-୧ ବିନ୍ଦୁ ଅଭିମୁଖେ ଗତି କରିବ, ଏହା ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ର ପ୍ରଭାବରୁ ବାହାରିଯିବ।
କ୍ରୁଜ ପର୍ଯ୍ୟାୟ– ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ରର ପ୍ରଭାବ ଛାଡ଼ିବା ପରେ ମିଶନର କ୍ରୁଜ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଅନ୍ତରୀକ୍ଷ ଯାନକୁ ଅବତରଣ ପ୍ରକ୍ରିୟା କରାଯାଏ।
ହେଲୋ ଅର୍ବିଟ– ମିଶନର ଅନ୍ତିମ ପର୍ଯ୍ୟାୟରେ ଅନ୍ତରୀକ୍ଷ ଯାନକୁ ଲାଗ୍ରାଞ୍ଜିଆନ ପଏଣ୍ଟ-୧ର ଚାରିପଟେ ଏକ ବଡ଼ ହେଲୋ କକ୍ଷରେ ସ୍ଥାପିତ କରାଯିବ। ଏହି ପରି ଉତକ୍ଷେପଣ ଏବଂ ଏଲ-୧ ବିନ୍ଦୁ ନିକଟରେ ହେଲୋ କକ୍ଷରେ ଅନ୍ତରୀକ୍ଷ ଯାନର ସ୍ଥାପନାରେ ପ୍ରାୟ ଚାରି ମାସର ସମୟ ଲାଗିବ।

ମିଶନର ଉଦ୍ଦେଶ୍ୟ କଣ ?
ଭାରତର ମହତ୍ଵାକାଂକ୍ଷୀ ମିଶନ ହେଉଛି ଆଦିତ୍ୟ ଏଲ-୧ । ଏଲ-୧ ପଏଣ୍ଟରେ ସ୍ଥାପିତ ଏକ ଉପଗ୍ରହର ସବୁଠୁ ବଡ଼ ସୁବିଧା ହେଉଛି ଏହା କୌଣସି ପ୍ରକାରର ମହାଜାଗତିକ ଘଟଣା ବା ଗ୍ରହଣଜନିତ ବାଧା ବ୍ୟତିରକେ ସୂର୍ଯ୍ୟକୁ ନିରବଚ୍ଛିନ୍ନ ଭାବେ ନିରୀକ୍ଷଣ କରି ପାରିବ। ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ବାହ୍ୟସ୍ତର କରୋନା ଉପରେ ପର୍ଯ୍ୟବେକ୍ଷଣ କରିବା ପାଇଁ ଏଥିରେ ୭ଟି ପେଲୋଡ ରହିଛି। ମହାକାଶ ପାଣିପାଗ ଓ ପୃଥିବୀ ଉପରେ ଏହାର ପ୍ରଭାବ ଆଦି ଉପରେ ଏଗୁଡ଼ିକ ତଥ୍ୟ ସଂଗ୍ରହ କରିବ।

ଏଥିସହିତ ଆଦିତ୍ୟ ଏଲ-୧ ବିଦ୍ୟୁତ ଚୁମ୍ବକୀୟ, କଣିକା ଓ ଚୁମ୍ବକୀୟ କ୍ଷେତ୍ର ଉପାଦାନର ଉପଯୋଗ କରି ପ୍ରକାଶମଣ୍ଡଳ, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ସବୁଠୁ ବାହ୍ୟ ଆବରଣର ଅଧ୍ୟୟନ କରିବ। ଏଥିରେ ଚାରୋଟି ପେଲୋଡ୍ ମଧ୍ୟରୁ ଗୋଟିଏ ପେଲୋଡ୍ ଏଲ ୧ର ଉପଯୋଗ କରି ସିଧାସଳଖ ସୂର୍ଯ୍ୟ ଉପରେ ନଜର ରଖିବେ। ଅନ୍ୟ ୩ ପେଲୋଡ୍ କଣିକା ଓ ସୂର୍ଯ୍ୟ କ୍ଷେତ୍ରର ଇନ-ସିଟୁ ଅଧ୍ୟୟନ କରିବେ। ସୌର ଗତିଶୀଳତାର ପ୍ରଭାବ କେମିତି ରହିଛି ତାର ମହତ୍ଵପୂର୍ଣ୍ଣ ବୈଜ୍ଞାନିକ ଅଧ୍ୟୟନ ଏହି ମିଶନ ଜରିଆରେ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।