ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ


ଝାରସୁଗୁଡା ୫/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ୨୧୦୦ ଟଙ୍କା ଏବଂ ଜୁଆ ଖେଳରେ ବ୍ୟବହୃତ କଉଡ଼ି ଜବତ କରିବା ସହିତ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି । ଗିରଫ ଜୁଆଡ଼ି ମାନେ ହେଲେ ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଅନ୍ତର୍ଗତ ଚିଖିଲି ଗ୍ରାମର ଚକ୍ରପାଣି ଭୋଇ ଙ୍କ ପୁଅ ବିକାଶ ଭୋଇ (୩୨),ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ମୁରଲିପାଲି ଗ୍ରାମ ର ସ୍ବର୍ଗତ ସନ୍ତୋଷ ସା ଙ୍କ ପୁଅ ପ୍ୟାରୀ ସା (୬୧), କଣ୍ଡେଇକେଲା ଗ୍ରାମର ସ୍ବର୍ଗତ ନୀଳମଣି ଉର୍ମା ଙ୍କ ପୁଅ ଶୋଭାରାମ ଉର୍ମା (୪୯) ଏବଂ କଣ୍ଡେଇକେଲା ଗ୍ରାମର ସ୍ବର୍ଗତ ସମ୍ପତ୍ତି ବାରିକଙ୍କ ପୁଅ ରକ୍ଷପାଳ ବାରିକ (୪୧) । ସେମାନଙ୍କୁ ଫୋର୍ଟି ୱାନ ନୋଟିସ ଦେଇ ଜାମିନ ରେ ଛାଡ଼ିଥିବା ତଦନ୍ତକାରୀ ଅଧିକାରୀ ନରୋତ୍ତମ ସା ସୂଚନା ଦେଇଛନ୍ତି ।
ପୁଲିସର ସୂଚନା ଅନୁସାରେ ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର କିଷାନ, କନେଷ୍ଟବଳ କୈଳାସ ଭୋଇ ଓ ଦାଉଡ କିରୋ, ଗୃହରକ୍ଷୀ ମନୋହର ପଧାନ ପ୍ୟାଟ୍ରୋଲିଂ କରୁଥିଲେ । ଠିକ ରାତି ପ୍ରାୟ ୧୧ ଟା ସମୟରେ ମୁରଲିପାଲି ତେଲିବନ୍ଧା ଠାରେ ଜୁଆ ଖେଳ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ସେ ସ୍ଥାନରେ ଚଢ଼ାଉ କରିଥିଲେ । ସେମାନଙ୍କ ଠାରୁ ନଗଦ ୨୧୦୦ ଟଙ୍କା ଓ ୫୦ ଟି କଉଡ଼ି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି ଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ସା ପ୍ରକାଶ କରିଛନ୍ତି ।