ଝାରସୁଗୁଡା ୭/୯ (ଓଡ଼ିଶା.ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ଏକ ବ୍ଳକ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଲଖନପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୁଗଲ କିଶୋର ପରୁଆଏଥିରେ ସଭାପତିତ୍ୱ କରିଥିଲେ । ଉକ୍ତ ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ବେଣୁଧର ଭୋଇ ମୁଖ୍ୟ ଅତିଥି, ଲଖନପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମସାଗର ଚୌଧୁରୀ ମୁଖ୍ୟ ବକ୍ତା ଏବଂ ବୁଦ୍ଧିଜୀବୀ ରାଧାକାନ୍ତ ପାଣିଗ୍ରାହୀ ଓ ଆଲୁମନୀ ସଭ୍ୟ କ୍ଷିତିଭୂଷଣ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଦ୍ୱୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ବିଭିନ୍ନ ସମୟରେ ବିଦ୍ୟାଳୟ ସ୍ତରରେ ହେଉଥିବା ବିଜ୍ଞାନ ମେଳା ଓ ପ୍ରଦର୍ଶନୀ ତଥା ଏଭଳି ବିଜ୍ଞାନ ଡ୍ରାମା ପ୍ରତିଯୋଗିତାର ଉଦ୍ଦେଶ୍ୟ, ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହା ପରେ ପଞ୍ଚଗାଁ ଦେବକୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଅଁରଖୋଲ ବିପିଏମ ଉଚ୍ଚ ବିଦ୍ୟାଳୟ ଓ ସରଣ୍ଡାମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଳଗତ ଭାବେ ବିଜ୍ଞାନ ଡ୍ରାମା ପ୍ରଦର୍ଶନ କରିଥିଲେ ଏବଂ ସରଣ୍ଡାମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଆସନ୍ତା ୯ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ପାଇଁ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ବିଚାରକ ମଣ୍ଡଳୀ ଭାବେ ବାଘମୁଣ୍ଡା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ତ୍ରିଲୋଚନ ସାହୁ ଓ ଲଖନପୁର ହାଇସ୍କୁଲ ବରିଷ୍ଠ ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଲଖନପୁର ହାଇସ୍କୁଲର ସହକାରୀ ଶିକ୍ଷକ ଗଦାଧର ପଧାନ, ହେମାନନ୍ଦ ଖଣ୍ଡା ଓ ଦାମୋଦର ଧୁରୁଆ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ।