Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଛାତ୍ର ଅଶାନ୍ତି।ଭୋର ସାଢେ ୩ ଟା ପର୍ଯ୍ୟନ୍ତ କୁଳପତି ଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ।

ଗୋପାଳପୁର,୦୯/୦୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଶୁକ୍ରବାର ମଧ୍ୟ ରାତିରେ ଛାତ୍ର ଅଶାନ୍ତି ଦେଖା ଦେବା ସହ ୩ ଶହ ରୁ ଉର୍ଦ୍ଧ୍ବ ହଷ୍ଟେଲ ଅନ୍ତେବାସୀ ମାନେ ରାତି ସାଢ଼େ ୧୨ ଟା ରୁ ଭୋର ସାଢେ ୩ ଟା ପର୍ଯ୍ୟନ୍ତ କୁଳପତିଙ୍କ ବାସଭବନ ସମ୍ମୁଖରେ ଧାରଣା ରେ ବସି ରହିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ପିଜି କାଉନସିଲ ଅଧ୍ୟକ୍ଷ ଙ୍କ ସମେତ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ର ଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ହଷ୍ଟେଲକୁ ଫେରିଥିଲେ। ଅଭିଯୋଗ ଅନୁଯାୟୀ ବାଳକ ହଷ୍ଟେଲ ତଥା ନାଗାବଳୀ ରେ ରହୁଥିବା ଇତିହାସ ବିଭାଗର ୨ ୟ ବର୍ଷ ଛାତ୍ର ଆଲୋକ ନାୟକଙ୍କ ଅଚାନକ ରାତି ୧୧ ଟା ବେଳେ ପେଟ ବ୍ୟଥା ହେବାରୁ ଅନ୍ୟ ସାଙ୍ଗ ମାନେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ସୁଧାକର ପାତ୍ର ଙ୍କୁ ଫୋନ କରି ଥିଲେ। କିନ୍ତୁ ପ୍ରଫେସର ପାତ୍ର ଫୋନ ଉଠାଇ ନଥିଲେ। ଛାତ୍ର ମାନେ ବିଶ୍ଵବିଦ୍ୟାଳୟ ଆମ୍ବୁଲାନ୍ସ ଡ଼୍ରାଇଭର କୁ ଫୋନ କରିଥିବା ବେଳେ ଡ୍ରାଇଭର ଜଣଙ୍କ ଆମ୍ବୁଲାନ୍ସ ଚଲାଉନଥିବା ସୂଚନା ଦେବା ସହ ନୂଆ ଡ଼୍ରାଇଭର କୁ ଫୋନ କରିବାକୁ କହିଥିଲେ। ଶେଷରେ ଛାତ୍ର ମାନେ ହଷ୍ଟେଲ ପରିସରରେ ଥିବା ଜଣେ ଛାତ୍ର ଙ୍କ ମୋଟରସାଇକେଲ ରେ ରାତି ୧ ଟା ବେଳେ ବ୍ରହ୍ମପୁର ବଡ ମେଡିକାଲ ରେ ପହଞ୍ଚି ଚିକିତ୍ସିତ ହେବା ସହ ଭୋର ୪ ଟା ବେଳେ ହଷ୍ଟେଲ ଫେରିଥିବା ଜଣାପଡିଛି। ଅନ୍ୟ ପଟେ ଏହି ଘଟଣା ନେଇ କ୍ୟାମ୍ପସ ପରିସରରେ ଥିବା ରଷିକୂଲ୍ଯା, ବଂଶଧାରା,ବାହୁଡା଼ ଓ ନାଗାବଳୀ ହଷ୍ଟେଲ ରେ ରହୁଥିବା ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ର ମାନେ ଏହାର ପ୍ରତିବାଦ ରେ ରାତି ସାଢ଼େ ୧୨ ଟା ରେ କ୍ୟାମ୍ପସ ପରିସରରେ ଥିବା କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହା ନେଇ ଛାତ୍ର ମାନଙ୍କ ସହ ଆଲୋଚନା ବେଳେ ସେମାନେ ପ୍ରକାଶ କରିଥିଲେ ଗତବର୍ଷ ହଷ୍ଟେଲ ଛାତ୍ରମାନଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଙ୍କୁ ୧୨ ଦଫା ଦାବି ପ୍ରଦାନ କରାଯାଇଥିଲା।ଏହା ମଧ୍ୟରୁ କେତେକ ଦାବି ପୂରଣ ହୋଇଥିବା ବେଳେ ଆଜିଯାଏଁ ହଷ୍ଟେଲ କୁ ସଂଯୋଗ କରୁଥିବା ରାସ୍ତା ଖାଲଖମା ହୋଇ ରହିଥିଲେ ମଧ୍ୟ ଏହାର ମରାମତି କରାଯାଇ ନାହିଁ ଯାହା ଫଳରେ ଅନେକ ସମୟରେ ଛାତ୍ରମାନେ ରାସ୍ତା ରେ‌ ପଡ଼ି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ କରିଛନ୍ତି।ଏହା ସହ ହଷ୍ଟେଲ ରାସ୍ତା ରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ନଥିବା, ହଷ୍ଟେଲ ପରିସରରେ ରୀତିମତ ସଫେଇ ହେଉ ନଥିବାରୁ ଅପରିଷ୍କାର ପରିବେଶ ରହିବା ସହ ଲଟାବୁଦା ମାଡ଼ି ଯାଇଥିବାରୁ ହଷ୍ଟେଲ କୋଠା ମଧ୍ୟକୁ ସାପ ପସି ଯାଉଥିବା ଜଣାଇଛନ୍ତି। ହଷ୍ଟେଲ ପରିସରରେ କମନରୁମ ର ଅଭାବ ସହ ବ୍ୟାୟାମଶାଳା ର ଉପକରଣ ଗୁଡ଼ିକ ନଷ୍ଟ ହୋଇ ଯାଇଥିବାରୁ ବ୍ୟବହାର କରି ନପାରିବା, ସ୍ବଛ ଜଳ ର ବ୍ୟବସ୍ଥା ନଥିବା, ହଷ୍ଟେଲ ରେ ନାମଲେଖା ସମୟରେ ମେଡିକାଲ ବ୍ୟବସ୍ଥା ପାଇଁ ପ୍ରତି ଛାତ୍ର ଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ସତ୍ତ୍ୱେ ଜରୁରୀ ପରିସ୍ଥିତି ରେ ଡାକ୍ତରୀ ଚିକିତ୍ସା କିମ୍ବା ଔଷଧ ନପାଇବା ନେଇ ଛାତ୍ର ମାନେ ଅଭିଯୋଗ କରିଛନ୍ତି।ରାତି ପ୍ରାୟ ୩ ଟା ବେଳେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଓ ସୁପରିଟେଣ୍ଡେଣ୍ଟ ପ୍ରଫେସର ସୁଧାକର ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ରୁ ଛାତ୍ର ମାନେ ଓହରିଥିଲେ। ଅନ୍ୟ ପଟେ ଗତକାଲିର ଘଟଣା ନେଇ ବିଶ୍ଵବିଦ୍ୟାଳୟ ରେସିଡେଣ୍ଟ କମିଟି ସମେତ ଶୃଙ୍ଖଳା କମିଟି ର‌ ବୈଠକ ଭାରପ୍ରାପ୍ତ କୁଳପତି ପ୍ରଫେସର ସୁକାନ୍ତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେବା ସହ ଗତକାଲି ର ରାତିର ଛାତ୍ର ଙ୍କ ପକ୍ଷରୁ ସଂଗଠିତ ଧାରଣା ବିକ୍ଷୋଭ ନେଇ ଆଲୋଚନା କରାଯିବା ସହ ଛାତ୍ର ମାନଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ହଷ୍ଟେଲ ରାସ୍ତା ରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କୁ ତୁରନ୍ତ କରିବା,ଖରାପ ରାସ୍ତାର ନିର୍ମାଣ ପ୍ରତି ଧ୍ୟାନ ଦେବା, ହଷ୍ଟେଲ ପରିସରକୁ ସଫେଇ କରାଯିବା ସହ ଅନ୍ତେବାସୀ ମାନଙ୍କୁ ନିଜ ନିଜର ହଷ୍ଟେଲ ପରିବେଶ କୁ ସଫା ରଖିବା ସହ ଅଳିଆ ଆବର୍ଜ୍ଜନା କୁ ସଠିକ ସ୍ଥାନରେ ଫୋପାଡିବା ପାଇଁ ସଚେତନତା କରାଇବା ସହ ଗତକାଲି ଘଟଣାରେ ହଷ୍ଟେଲ ରେ ରହୁନଥିବା କେତେକ ବିଦ୍ୟାର୍ଥୀ ହଷ୍ଟେଲ ପରିସରରେ ପହଞ୍ଚି ରାତି ଅଧରେ ହଷ୍ଟେଲ ରୁ ବାହାରି କୁଳପତିଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉସକେଇ ଥିବାର ଜଣା ପଡ଼ିଥିବା ବେଳେ ଏହା ନେଇ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟିରେ ସ୍ଥିର କରାଯାଇଥିବା ବୈଠକରେ ଉପସ୍ଥିତ ରହିଥିବା ନାଗାବଳୀ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଡ଼ ଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।

More Stories