ହୀରାକୁଦର ବଢୁଛି ଜଳସ୍ତର, ବୌଦ୍ଧରେ ଫୁଲି ଉଠିଲା ମହାନଦୀ

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ୨୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ରବିବାର ସକାଳ ୮ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୦୪ ଫୁଟ୍ ରହିଥିଲା। ଏହି ସମୟରେ ହୀରାକୁଦରୁ ୪,୫୭,୩୮୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪,୪୭,୦୫୮ ଫୁଟ୍ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ବୌଦ୍ଧରେ ଫୁଲି ଉଠିଛି ମହାନଦୀ।
ବୌଦ୍ଧର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଜଗନ୍ନାଥ ସଡ଼କ ବାଲାଟ୍ ନାଳ ଉପରେ ୪ ଫୁଟର ପାଣି ଚାଲୁଛି। ହରଭଙ୍ଗା ବ୍ଲକ ସହ ଜଗନ୍ନାଥ ରାସ୍ତାରେ ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୁରୁଣ୍ଡି ନାଳ ଉପରେ ମଧ୍ୟ ୩ ଫୁଟର ପାଣି ପ୍ରବାହିତ ହେଉଛି। ଜିଲ୍ଲାର ହରଭଙ୍ଗା, ଅତଳସରା, ରାମଗଡ଼, ହାଟଗାଁ ରାସ୍ତାରେ ୪ ଫୁଟର ପାଣି ବହୁଛି। ଫଳରେ ହରଭଙ୍ଗା ବ୍ଲକର ୧୫ ଗାଁ ଜଳମଗ୍ନ ରହିଥିବା ବେଳେ ଚାଷ ଜମିରେ ପାଣି ମାଡ଼ି ଯାଇଛି।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଗତକାଲି ୪ଟି ଗେଟ୍ ଖୋଲାଯାଇଛି। ହୀରାକୁଦରେ ଏବେ ସମୁଦାୟ ୨୬ ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ବାମ ପଟରୁ ୧୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ ଚାଲିଛି। ଫଳରେ ମହାନଦୀ ଫୁଲି ଉଠିଛି। ବର୍ଷର ଦ୍ଵିତୀୟ ଥର ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଏହା ମଧ୍ୟରେ ଶନିବାର ରାଜ୍ୟରେ ବନ୍ୟା ସ୍ଥିତି ନ ଥିବା କହିଛନ୍ତି ଜଳସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ।
ସେ କହିଥିଲେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳ ଅଞ୍ଚଳରେ ପାଣି ପଶିଛି। କିନ୍ତୁ ସେମିତି ବନ୍ୟା ସ୍ଥିତି ଉପୁଜି ନାହିଁ। ଗତକାଲି ହୀରାକୁଦକୁ ପ୍ରତି ସେକେଣ୍ଡରେ ୪.୫୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଥିଲା ୪.୫୫ ଲକ୍ଷ କ୍ୟୁସେକ ଜଳ। ହୀରାକୁଦର ୨୬ ଗେଟ୍ ଖୋଲା ରହିଛି ଏବଂ ଏହା ଆଗାମୀ ୨/୩ ଦିନ ଧରି ଏମିତି ଚାଲିବ। ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତଙ୍କୁ ଆଲର୍ଟ କରାଯାଇଛି। ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟରେ ଜଳପରିଚାଳନା ଠିକ୍ ଚାଲିଛି। ତେଣୁ ବନ୍ୟାର ଆଶଙ୍କା ନ ଥିବା ଜଳସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।