୨୩ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଗଣଧାରଣା।

କୋକସରା:୧୯/୦୯ ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୨୩ ତମ ଦିବସ ରେ ଧର୍ମଗଡ ମୁସଲିମ ସୁନ୍ନି ଜମାତ କମିଟି ପକ୍ଷରୁ ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ମୁସଲିମ କର୍ମକର୍ତ୍ତା ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସିଥିଲେ।୧୯୯୨ ମସିହାରେ ବୀର ସିପକା ଧର୍ମଗଡ ବିଧାୟକ ଥିବା ସମୟରେ ଓଡିଶାର ତତ୍ କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ପଡ଼ିଆରେ ଏକ ଜନ ସମାବେଶରେ ଯୋଗ ଦେଇ ଧର୍ମଗଡ କୁ ଏକ ରାଜସ୍ୱ ଜିଲ୍ଲା କରିବା ପାଇଁ କଥା ଦେଇଥିଲେ। ଇତି ମଧ୍ୟରେ ୩୦ ବର୍ଷ ବିତିଗଲାଣି କିନ୍ତୁ ଧର୍ମଗଡ ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇ ନାହିଁ। ଧର୍ମଗଡ ଉପଖଣ୍ଡ କୁ ଶୀଘ୍ର ଜିଲ୍ଲା ଘୋଷଣା କରିବା ପାଇଁ ଧର୍ମଗଡ ମୁସଲିମ ସୁନ୍ନି ଜମାତ କମିଟି ର ସଭାପତି ରଫିଉଦ୍ଧିନ୍ ଖାଁ ଦାବୀ କରିଥିଲେ।
ଏହି ଗଣ ଧାରଣାରେ ମୁସଲିମ ସୁନ୍ନି ଜମାତ କମିଟି ର ସଂପାଦକ ଆଫ୍ରୋଜ ଅହମ୍ମଦ, ଉପ ସଭାପତି ଶେଖ୍ ବରକତ୍ ଅଲ୍ଲୀ, ସହ ସମ୍ପାଦକ ମହମ୍ମଦ ମୋକିମ୍, କୋଷାଧ୍ୟକ୍ଷ ଅଫଜଲ ଖାଁ ଓ ଯୁଗ୍ମ କୋଷାଧ୍ୟକ୍ଷ ମହମ୍ମଦ ରଜାକ୍ ସମେତ ପୂର୍ବତନ ସଭାପତି ଅବଦୁଲ ରେହେମାନ, ପୁର୍ବତନ ସଂପାଦକ ଇସଲାମ ମହମ୍ମଦ,ମହମ୍ମଦ ମୁସ୍ତକିମ ଓ ଅବଦୁଲ ହାରୁନ, ମହମ୍ମଦ ରଜାକ, ମହମ୍ମଦ ତାହିର, ମହମ୍ମଦ ସେହେବାଜ୍ ପ୍ରମୁଖ ଯୋଗଦେଇ ଧର୍ମଗଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ ଓ “କଥା ଦେଇଥିଲେ ବିଜୁ ବାବୁ, ପୁରଣ କର ନବୀନ ବାବୁ” ବୋଲି ସ୍ଲୋଗାନ ଦେଇଥିଲେ।
ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ଓକିଲ ପ୍ରେମଲାଲ ସାଗର ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଡମ୍ବରୁ ଧର ଲହଜଲ୍, ରତନ ନାଏକ, ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ, ଡାକେଶ୍ୱର ଲହଜଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୨୩ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।