Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର, ମାଆ ସମଲେଶ୍ଵରୀଙ୍କଠାରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ସହରଠୁ ନେଇ ପୂରପଲ୍ଲୀ ଘରେ ଘରେ ନୂଆଁଖାଇ ପର୍ବ ବେଶ ଉତ୍ସାହର ସହ ପାଳନ କରାଯାଉଛି।  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କଠାରେ ଆଜି ପୂର୍ବାହ୍ନ ୧୦ଟା ୩୭ ମିନିଟ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର।

ସେହିପରି ରୀତିନୀତି ଅନୁସାରେ ପାଟଣାଗଡ଼ରେ ମାଆ ପାଟଣେଶ୍ଵରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସୋନପୁରରେ ମାଆ ସୁରେଶ୍ଵରୀଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ନବାନ୍ନ ଲାଗି କରାଯାଇଛି। ଅଧିଷ୍ଠାତ୍ରୀ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲଗାଯିବା ପରେ ପ୍ରତି ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଉଛନ୍ତି। ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବା ପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବେ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।