ରାଜ୍ୟ ସରପଞ୍ଚ ଆନ୍ଦୋଳନକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖାର ସମର୍ଥନ, ସରକାରଙ୍କ ହସ୍ତକ୍ଷେପ ଦାବି


ସମ୍ବଲପୁର : ସାରା ରାଜ୍ୟରେ ଚାଲିଥିବା ସରପଞ୍ଚ ସଂଗଠନର ଆନ୍ଦୋଳନକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା ସଭାପତି ରବି ରଥ ଓ ସମ୍ପାଦକ ଡ଼ା. ରାଜାରାମ ଷଡ଼ଙ୍ଗୀ ସମର୍ଥନ ଜଣାଇ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସରପଞ୍ଚମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି ।ପଞ୍ଚାୟତ ଭଳି ସ୍ୱାୟତ୍ତ ଶାସନ ଭାର ମୁଣ୍ଡେଇଥିବା ସରପଞ୍ଚ୍ ମାନଙ୍କ ଦାବି ଯୁକ୍ତିଯୁକ୍ତ ହୋଇଥିବାରୁ ଗ୍ରାମ ବିକାଶ ଭଳି ଉନ୍ନୟନ ଦିଗକୁ ସରକାର ଆଖି ଆଗରେ ରଖି ସରପଞ୍ଚ୍ ଆନ୍ଦୋଳନର ଅବସାନ ଘଟାଇ ବିକାଶର ମୂଳସ୍ରୋତରେ ସରପଞ୍ଚ୍ ମାନଙ୍କୁ ପୁର୍ଣ୍ଣ କ୍ଷମତା ପ୍ରଦାନ କରିବା ଦିଗରେ ଗଠନ ମୂଳକ ନିଷ୍ପତ୍ତି ନେବେ ବୋଲି ଆଶା ବାଦି ଥିବା ନେଇ ସଙ୍ଗଠନ କହିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସମୟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ବର୍ତମାନ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି ଅନୁଦାନ ନିମନ୍ତେ ପ୍ରକଳ୍ପ ଚୟନ ଆଦି ନିଷ୍ପତ୍ତିରେ ସରପଞ୍ଚଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ଏହା ସହ ସରପଞ୍ଚଙ୍କୁ ଅବସରକାଳୀନ ଭତ୍ତା, ସ୍ବାସ୍ଥ୍ୟ ବୀମା ପ୍ରଦାନ, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ସ୍ବତନ୍ତ୍ର ପାଣ୍ଠୀର ବ୍ୟବସ୍ଥା,ମାସିକ ବେତନ ଭତ୍ତା ବୃଦ୍ଧି ସହ ୱାର୍ଡ ମେମ୍ୱରମାନଙ୍କୁ ମଧ୍ୟ ୫ ହଜାର ବେତନ ଭତ୍ତା, ପିଅନ ଓ ରାତ୍ର ଜଗୁଆଳିଙ୍କୁ ମାସିକ ବେତନ ବ୍ୟବସ୍ଥା , ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରପଞ୍ଚଙ୍କ ହାତପାଣ୍ଠିକୁ ନାର୍ଷିକ ୧୦ ଲକ୍ଷ ଟଙ୍କା ଓ ଅନ୍ତତଃ ୫ଟି ଗୃହ ଆବଣ୍ଟନର କ୍ଷମତା ଦେବା ଆଦି ଦାବି ରହିଛି।
ସଙ୍ଗଠନ କହିଛି ଯେ,ଗଣତନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚମାନେ ହେଉଛନ୍ତି ମୂଳ ପିଢ଼ି । ଏମାନଙ୍କ ଉପରେ ପ୍ରଶାସନିକ ଅଧିକାରୀମାନଙ୍କ ଅଙ୍କୁଶ ଥିବାରୁ ସରପଞ୍ଚମାନେ କୌଣସି କାମ କରି ପାରୁନାହାନ୍ତି । ପଞ୍ଚାୟତିରାଜକୁ କ୍ଷମତା ପ୍ରଦାନ ପାଇଁ ଯେଉଁ ସାମ୍ୱିଧାନିକ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ବାଧା ସୃଷ୍ଟି କରୁଛନ୍ତି। ଫଳରେ ସରପଞ୍ଚଙ୍କ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି । ଫଳରେ ଗ୍ରାମ ବିକାଶ ଯେତିକି ଆଗେଇବା କଥା ସେଭଳି ଆଗେଇ ପାରୁନାହିଁ। କରୋନା କାଳରେ ସରପଞ୍ଚ୍ ଙ୍କୁ ଜିଲ୍ଲାପାଳ କ୍ଷମତା ଭଳି ଗ୍ରାମ ବିକାଶରେ ସରପଞ୍ଚ୍ ମାନଙ୍କୁ ବିଜୁ ବାବୁଙ୍କ ସରକାର ପରି ପୂର୍ଣ୍ଣ କ୍ଷମତା ପ୍ରଦାର ଯଥାର୍ଥତାକୁ ସରକାର ଉପଲବ୍ଧି ନେବା କଥା ବୋଲି ସଂଗଠନ ଗୁରୁତ୍ୱ ଦେଇଛି।ସାଂପ୍ରତିକ ସମୟରେ ରାଜ୍ୟସ୍ତରୀୟ ସରପଞ୍ଚ୍ ଆନ୍ଦୋଳନ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି ମିଳିତ ଭାବେ ଶ୍ରୀଯୁକ୍ତ ରଥ ଓ ଡା. ଷଡଙ୍ଗୀ କାଳ ବିଳମ୍ଭ ନକରି ସରକାେ ଏ ଦିଗରେ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।