Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆସିଲା ଡାକରା, ଆଜି ସନ୍ଧ୍ୟାରେ ବୈଠକ

ଭୁବନେଶ୍ୱର: ଆନ୍ଦୋଳନରତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆସିଲା ଡାକରା। ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ। ଉଲ୍ଲେଖନୀୟ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ଆସନ୍ତା ୨୬ ତାରିଖରେ ଶିକ୍ଷକସଂଘ ଭୁବନେଶ୍ଵରରେ ମହାସମାବେଶର ଡାକରା ଦେଇଛି।

ଗ୍ରେଡ୍ ପେ ବୃ୍ଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ, ୨୦୧୭ରୁ ପୁରୁଣା ପେନସନ୍ ଲାଗୁ ସହ ୨୦୨୦ ମାର୍ଚ୍ଚ ପହିଲାରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକଙ୍କୁ ନିୟମିତ କରିବା ଭଳି ଦାବି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ୮ଟି ଶିକ୍ଷକ ସଂଘ ସହମତି ପ୍ରକାଶ କରିଛନ୍ତି। ଏ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଲୋଚନା ନେଇ ଆମେ ଆଶାବାଦୀ।

ସୂଚନାଯୋଗ୍ୟ, ୨୬ ତାରିଖରେ ବିଧାନସଭା ଘେରାଉ ଓ ମହାସମାବେଶ ପାଇଁ ୮ଟି ପ୍ରାଥମିକ ଶିକ୍ଷକ ସଂଘ ପ୍ରସ୍ତୁତି ଚଳାଇଛନ୍ତି। ଏହି ଖବର ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏହା ପୂର୍ବରୁ ମନ୍ତ୍ରିସ୍ତରୀୟ ଆଲୋଚନା ସମୟରେ ଶିକ୍ଷକଙ୍କ ଦାବି ପୂରଣ ହୋଇ ପାରିବ ନାହିଁ ମନ୍ତ୍ରୀ କହିଥିବା କହିଥିଲେ ଶିକ୍ଷକ ନେତା। ତେବେ ଆଜିର ଆଲୋଚନା ଉପରେ ସଭିଙ୍କ ନଜର ରହିଛି।