Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନଭଣ୍ଡାର ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲାରେ ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଉଚ୍ଚ ନ୍ୟାୟାଳୟ ଏହି ସମ୍ବେଦନଶୀଳ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ସୋମବାର ମାମଲାର ଶୁଣାଣି ପାଇଁ ଲିଷ୍ଟିଂ ହୋଇଥିଲା। କିନ୍ତୁ ସମୟ ଅଭାବରୁ ଶୁଣାଣି ହୋଇ ପାରି ନ ଥିଲା। ବିଜେପିର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ଏହି ମାମଲାରେ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି ।  ମୁଖ୍ୟ ବିଚାରପତି ଶୁଭାଶିଷ ତଳପାତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲା ଶୁଣାଣି କରିଛନ୍ତି।

ଚାଲିଥିବା ଶୁଣାଣି ସମୟରେ ହାଇକୋର୍ଟର ବରିଷ୍ଠ ଆଇଜନୀବୀ ପୀତାମ୍ବର ଆଚାର୍ଯ୍ୟ ରତ୍ନଭଣ୍ଡାର ପ୍ରସଙ୍ଗରେ ଏଏସଆଇ ପକ୍ଷରୁ ଦାଖଲ ଯାଞ୍ଚ ରିପୋର୍ଟ ଉପରେ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଲ୍ଲେଖନୀୟ ଅଗଷ୍ଟ ୭ ତାରିଖରେ (ଏଏସଆଇ) ପକ୍ଷରୁ ସୋମବାର ହାଇକୋର୍ଟ ପକ୍ଷରୁ ସତ୍ୟପାଠ ଦାଖଲ ହୋଥିଲା। ଏଥିରେ ଏଏସଆଇ ଉଲ୍ଲେଖ କରିଥିଲା ଯେ, ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ସେତେବେଳେ ଛାତରୁ ପାଣି ଗଳୁଥିଲା, ଚଟାଣରେ ପଥର ପଡ଼ିଥିଲା। କାନ୍ଥ ଭିତରୁ ଏକ ଫମ୍ପସା ଶବ୍ଦ ମଧ୍ୟ ଶୁଭୁଥିଲା। ୫ ବର୍ଷ ବିତି ଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନି। ତେଣୁ ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ ବୋଲି ଏଏସଆଇ କହିଥିଲା।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଖୋଲିବାକୁ ସବୁ ସ୍ତରରୁ ଦାବି ହେଉଛି। ତେବେ ଆସନ୍ତା ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି। ଏ ନେଇ ଅଗଷ୍ଟ ୪ ତାରିଖରେ ସୂଚନା ଦେଇଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ବୈଷୟିକ କମିଟି ଗଠନ ହେବ। ଲେଜର ସ୍କାନିଂ ଦ୍ୱାରା ଯାଞ୍ଚ କରାଯିବ। ଏହାସହ ରତ୍ନାଭଣ୍ଡାର ଖୋଲିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ