Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ଚାଲିବନି ଆପାର୍ଟମେଣ୍ଟ ମାଲିକଙ୍କ ମନମାନି, ବିଧାନସଭାରେ ନୂଆ ବିଲ୍ ଆଗତ, ଗ୍ରାହକଙ୍କୁ ବଡ଼ ଆଶ୍ଵସ୍ତି

ଭୁବନେଶ୍ଵର: ଆଉ ଚାଲିବନି ଆପାର୍ଟମେଣ୍ଟ ମାଲିକଙ୍କ ମନମାନି। ଏଣିକି ଗ୍ରାହକଙ୍କ ସୁବିଧାକୁ ମିଳିବ ଗୁରୁତ୍ଵ। ଓଡ଼ିଶା ବିଧାନସଭାରେ ଆଜି ଆଗତ ହୋଇଛି ଓଡ଼ିଶା ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ୍ ୨୦୨୩। ଏହା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଆକ୍ଟ, ୧୯୮୨ର ସ୍ଥାନ ନେବ। ଗୃହରେ ଏହି ବିଲ୍ ପାରିତ ହେବା ପରେ ରାଜ୍ୟରେ ଆପାର୍ଟମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବ। ଏହା ଦ୍ଵାରା ଆପାର୍ଟମେଣ୍ଟ କ୍ରେତା ବେଶ ଉପକୃତ ହେବେ।

ନୂଆ ବିଧେୟକରେ ଗ୍ରାହକଙ୍କ ସ୍ଵାର୍ଥକୁ ସର୍ବାଧିକ ଗୁରୁତ୍ଵ ଦିଆଯିବା ସହ ଆର୍ପାଟମେଣ୍ଟ ସଂଘର କ୍ଷମତା ବୃଦ୍ଧି କରାଯାଇଛି। ସଂଶୋଧିତ ବିଲରେ ସାର୍ବଜନୀନ ବ୍ୟବହାର ପାଇଁ ସାର୍ବଜନୀନ ଅଞ୍ଚଳକୁ ଗୃହକ୍ରେତା ସଂଘ ନାମରେ ରେକର୍ଡ କରାଯିବ। ପୂର୍ବରୁ ଏହି ନିୟମ କଡ଼ାକଡ଼ି ନ ଥିଲା। ଯଦ୍ଵାରା ରେରା ଓ ୧୯୮୨ ଆର୍ପାଟେମଣ୍ଟ ମାଲିକାନା ଆଇନ ଭିତରେ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥିଲା। ଏବେ ୩୦ ବର୍ଷର ପୁରୁଣା ନିର୍ମିତ ଆପାର୍ଟମେଣ୍ଟକୁ ବୀମା କରିବା ପୂର୍ବରୁ ଯାଞ୍ଚ କରାଯିବାର ବ୍ୟବସ୍ଥା ରହିଛି।

ପ୍ରତ୍ୟେକ ଆପାର୍ଟମେଣ୍ଟ ମାଲିକ ନିଜ ହିତ ଦୃଷ୍ଟିରୁ ତାଙ୍କ ଆପାର୍ଟମେଣ୍ଟ ସମିତି କିମ୍ବା ମାଲିକ ସଂଘ ଅଗ୍ନିକାଣ୍ଡ ଓ ଦୁର୍ବିପାକ ବୀମା କରାଇବେ। ଏହା ସହିତ ବିଲଡର ଆକ୍ୟୁପେନ୍ସି ସାର୍ଟିଫିକେଟ୍ ହେବାର ୩୦ ଦିନ ମଧ୍ୟରେ ଘୋଷଣାପତ୍ର ଦେବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଂଘନ ହେଲେ ପ୍ରମୋଟର କିମ୍ବା ବିଲଡର ପାଞ୍ଚ ଲକ୍ଷ ଟଙ୍କା ଜରିମାନା ଗଣିବେ।

ସୂଚନାଯୋଗ୍ୟ, ରେରା ଓ ୧୯୮୨ ଆର୍ପାଟେମଣ୍ଟ ମାଲିକାନା ଆଇନ ଭିତରେ ଦ୍ଵନ୍ଦ୍ଵ ଯୋଗୁଁ ଆପାର୍ଟମେଣ୍ଟ କ୍ରେତାକୁ ବିଲଡରମାନେ ବହୁ ହଇରାଣ ହରକତ କରୁଥିଲେ। ଏପରିକି ନିୟମର ଖୁଲମଖୁଲା ଉଲ୍ଲଂଘନ କରାଯାଇ ଆପାର୍ଟମେଣ୍ଟ ପରିସରରେ ସାର୍ବଜନୀନ ଅଞ୍ଚଳକୁ ବିଲଡରମାନେ ଅକ୍ତିକାର କରି ମନମାନୀ ଚଲାଉଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ