Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଲନିନୋ ପ୍ରଭାବରେ ଚଳିତ ବର୍ଷ ହେବ କମ ଶୀତ, କଲବଲ କରିବ ଅକ୍ଟୋବର

ନୂଆଦିଲ୍ଲୀ: ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଫଳରେ ବର୍ଷା ଋତୁ ଶେଷ ହୋଇଥିବା କହିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୧୦  ତାରିଖ ସୁଦ୍ଧା ମୌସୁମୀ ସଂପୂର୍ଣ୍ଣ ଭାବେ ଦେଶରୁ ଫେରିଯିବ। ଏହା ପରେ ଆରମ୍ଭ ହେବ ଶୀତ ଋତୁ। କିନ୍ତୁ ଏଥର କମ ଶୀତ ହେବ। ଏଲନିନୋ ପ୍ରଭାବରୁ ଶୀତ ଋତୁରେ ଥଣ୍ଡା ଦିନ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଫଳରେ ଅକ୍ଟୋବରରେ ତାପମାତ୍ରା ଅଧିକ ରହିବ।

ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏଲ୍‌ ନିନୋ ପ୍ରଭାବର ଚଳିତବର୍ଷ ୯୪.୪ ପ୍ରତିଶତ ମୌସୁମୀ ବର୍ଷା ହୋଇଛି । ୭୩ ପ୍ରତିଶତ ଉପଖଣ୍ଡ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଅନ୍ୟ ୧୮ ପ୍ରତିଶତ ଅଞ୍ଚଳରେ କମ୍‌ ବର୍ଷା ରେକର୍ଡ କରାଯାଇଛି । ପୂର୍ବ ଓ ଉତ୍ତର-ପୂର୍ବ ଅଞ୍ଚଳରେ ୧୮ ପ୍ରତିଶତ କମ୍‌ ବର୍ଷା ହୋଇଛି । ଏହି ଅଞ୍ଚଳରେ ହାରାହାରି ୧୩୬୭.୩ ମି.ମି. ବର୍ଷା ହେବା କଥା । କିନ୍ତୁ ଏଲ-ନିନୋ ଯୋଗୁ ୧୧୧୫ ମି.ମି ବର୍ଷା ହୋଇଛି । 

ସେହିପରି ଉତ୍ତର ପଶ୍ଚିମାଞ୍ଚଳରେ ୫୮୭.୬ ମି.ମି ବର୍ଷା ହେବା କଥା । ହେଲେ ସେଠାରେ ୫୯୩ ମି.ମି ବର୍ଷା ହୋଇଛି । କେନ୍ଦ୍ରୀୟ  ଭାରତରେ ଅଧିକାଂଶ ଫସଲ ମୌସୁମୀ ବର୍ଷା ଉପରେ ନିର୍ଭର କରେ ସେଠାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଦକ୍ଷିଣ ଉପଦ୍ୱୀପାଞ୍ଚଳରେ ୮ ପ୍ରତିଶତ କମ୍‌ ବର୍ଷା ହୋଇଛି । ବର୍ଷା ଋତୁ ପୂର୍ବରୁ ଆଇଏମଡି ସ୍ୱାଭାବିକ ବର୍ଷା ହେବା ନେଇ ଆକଳନ କରିବା ସହିତ ବର୍ଷାଋତୁର ଶେଷଭାଗକୁ ଏଲ୍‌-ନିନୋର ପ୍ରଭାବ ପଡିପାରେ ବୋଲି ଆଶଙ୍କା କରିଥିଲା ।

ବର୍ଷା  ୪ମାସ  ଭିତରେ ଦେଶରେ ମୋଟ୍ ୮୨୦ ମି.ମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ହାରାହାରି ୮୬୮.୬ ମି.ମି ବର୍ଷା ହେବା କଥା । ଏଲପିଏରେ ୯୪-୧୦୬ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ବୋଲି ଧରାଯାଏ ବୋଲି  ଭାରତୀୟ ପାଣିପାଗ ବିଭାଗ କହିଛି । ଏଲ୍‌ ନିନୋ ମୌସୁମୀ ବର୍ଷା ଉପରେ ସେଭଳି କୌଣସି ବଡ଼ ପ୍ରଭାବ ପକାଇନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ