ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ନେଲେ ଅବସର, କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେଲେ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ


କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଗତକାଲି ଅବସର ଗ୍ରହଣ କରିଛନ୍ତି। ସେ ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ୨୦୨୩ ଅଗଷ୍ଟ ୮ରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସ୍ଥାନରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ଵ ଗ୍ରହଣ କରିଛନ୍ତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ।

ଗତକାଲି ହାଇକୋର୍ଟରେ ଫୁଲ୍ କୋର୍ଟ ରେଫରେନ୍ସ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜଷ୍ଟିସ ତାଳପତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।  କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସମେତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଡିଏସଜିଆଇ ପ୍ରସନ୍ନ କୁମାର ପାଢୀ, ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଧରଣୀଧର ନାୟକଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଓ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ଜଷ୍ଟିସ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ୨୦୨୨ ଜୁନ ୧୦,ରୁ କାର୍ଯ୍ୟକର ଥିଲେ। ଜଷ୍ଟିସ ତାଳପତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିବା ଏସ ମୂରଲୀଧରଙ୍କ ସ୍ଥାନ ନେଇଥିଲେ। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ।

୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ତ୍ରିପୁରା ରାଜ୍ୟର ଉଦୟପୁରଠାରେ ଜଷ୍ଟିସ ତାଳପତ୍ର ଜନ୍ମଗ୍ରହଣ କରିଥିଲେ। କାଲକାଟାରୁ ବାରଆକ୍ଟ ଲ ଡିଗ୍ରୀ ହାସଲ କରିବା ପରେ ସେ ୧୯୯୦ ମସିହାରେ ଓକିଲାତି ପେଶାରେ ଯୋଗ ଦେଇଥିଲେ। ଉତ୍ତରପୂର୍ବ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶ, ତ୍ରିପୁରା , ମେଘାଳୟ, ମଣିପୁର ଏବଂ ମିଜୋରାମ ଆଦି ରାଜ୍ୟରେ ସେ ଜଣେ ଦକ୍ଷ ଆଇନଜୀବୀ ଭାବେ ଖୁବ ପରିଚିତ ଥିଲେ । ୨୦୦୪ ମସିହାରେ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ମିଳିଥିଲା ।

୨୦୧୧ ମସିହାରେ ଜଷ୍ଟିସ ତାଳପତ୍ର ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ମସିହାରେ ଗୁଆହାଟି ହାଇକୋର୍ଟରେ ସେ ସ୍ଥାୟୀ ବଚାରପତି ଭାବେ ନିଯୁକ୍ତ ହୋଇ ପରବର୍ତ୍ତୀ ସମୟରେ ୨ ଦୁଇ ଥର ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ସମ୍ଭାଳିଥିଲେ।