ଫାଇଭ-ଟି ନାମରେ ଅତ୍ୟନ୍ତ ନିମ୍ନମାନର କାମ ଅଭିଯୋଗ : ବିଶ୍ୱନାଥପୁର ସିଏଚ୍‌ସି ନୂତନ କୋଠାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ


କଳାହାଣ୍ଡି,୦୪/୧୦-ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ସରକାର ସ୍ୱତନ୍ତ୍ର ଭାବେ ମୋ ସରକାର ଫାଇଭ-ଟି ଯୋଜନା ଲାଗୁ କରିଛନ୍ତି । ରାଜ୍ୟର ତମାମ ଉନ୍ନୟନମୂଳକ କାର୍ଯ୍ୟ ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବାବେଳେ ସୀମିତ ସମୟ ଅବଧି ମଧ୍ୟରେ କୋଟିକୋଟି ଟଙ୍କାର କାର୍ଯ୍ୟ କରାଯାଉଥିବାବେଳେ ଏସବୁ କାର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷତା ଅପେକ୍ଷା ଦୁର୍ନୀତି ଓ ଅନିୟମିତତା ଭଳି ଅଭିଯୋଗ ହୋଇଥାଏ । ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ନିର୍ମାଣାଧୀନ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଫାଇଭ-ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ନିର୍ମାଣ କାର୍ଯ୍ୟ ପାୟ ଅଶୀ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେଉଥିବା କୁହାଯାଉଥିବାବେଳେ କାମ ଶେଷ ହେବାକୁ ବସିଛି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ସୂଚନାଫଳକ ଲାଗିନାହିଁ । ଲାଭଖୋର ଠିକାଦାର ମନଇଛା ନିମ୍ନମାନର କାମ କରି ଦାୟିତ୍ୱ ସାରିଦେବାକୁ ଉଦ୍ୟମ ଜାରି ରଖିଥିବାବେଳେ କାନ୍ଥରେ ଇଟା ଯୋଡେଇ ନସରୁଣୁ ପ୍ଲାଷ୍ଟର ଓ ପ୍ଲାଷ୍ଟର ନସରୁଣୁ ରଙ୍ଗ ଦେଇ ନିମ୍ନମାନର କାମକୁ ଲୁଚାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଏହି ନିର୍ମାଣାଧୀନ କୋଠାର ଠିକ୍ ସାମ୍ନାରେ ରହିଛି ବିଶ୍ୱନାଥପୁର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ । କିନ୍ତୁ ଏହି ନିମ୍ନମାନର କାମ ପ୍ରତି ନା ବିଭାଗୀୟ ଯନ୍ତ୍ରୀ ନା କେହି ଅଧିକାରୀ ଆଦୌ କାହାର ନଜର ପଡୁନାହିଁ । ଯାହାଫଳରେ ଠିକାଦାରଙ୍କୁ ନିମ୍ନମାନର କାମ କରିବାକୁ ସୁଯୋଗ ମିଳିଯାଉଛି । ଲାଞ୍ଜିଗଡ ବ୍ଲକର ସବୁଠୁ ନିର୍ଭରଯୋଗ୍ୟ ହସ୍ପିଟାଲ ଭାବେ ପରିଚିତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଲାଞ୍ଜିଗଡ ବ୍ଲକର ଦୂରଦୁରାନ୍ତର ତଥା ଦୁର୍ଗମ ଅଞ୍ଚଳ ସମେତ ପଡୋଶୀ ରାୟଗଡା ଜିଲ୍ଲା ମୁନିଗୁଡା, ଅମ୍ବାଦଳା ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି । ତେବେ ଫାଇଭ-ଟି ଯୋଜନା ଓ ରୂପାନ୍ତରୀକରଣ ନାଁରେ ଠିକାଦାରଙ୍କ ଦ୍ୱାରା କରାଯାଉଥିବା ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହି ନୂତନ କୋଠାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ଦେଖାଦେଇଛି । ଏପରିକି ରୋଗୀସେବା ପାଇଁ ଉଦ୍ଦିଷ୍ଟ ଏହି ହସ୍ପିଟାଲ କୋଠା ରୋଗୀଙ୍କ ପାଇଁ କାଳ ନସାଜିବ ତାହା କିଏ କହିବ ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି । ଏହାକୁ ନେଇ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଉଥିବାବେଳେ ହସ୍ପିଟାଲ କୋଠା ନିର୍ମାଣ କାମ ନିମ୍ନମାନର କରି ଅଞ୍ଚଳର ଜନସାଧାରଣ, ଗରିବ ଓ ଅସହାୟ ରୋଗୀମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେବାକୁ ଉଦ୍ୟମ କରୁଥିବା ସଂପୃକ୍ତ ଲାଭଖୋର ଠିକାଦାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଲାଇସେନ୍ସ ବାତିଲ କରିଦେବାକୁ ସାଧାରଣରେ ଦାବି ହେଉଥିବାବେଳେ ଫାଇଭ-ଟି ନାମରେ ଦୁର୍ନୀତି, ଅନିୟମିତତା ଓ ନିମ୍ନମାନର କାର୍ଯ୍ୟକୁ ପ୍ରଶୟ ଦେଉଥିବା କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ବିଶ୍ୱନାଥପୁର ଦାୟିତ୍ୱରେ କନିଷ୍ଠଯନ୍ତ୍ରୀ ଓ ବିଭାଗୀୟ ଉପରିସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଲମ୍ବୋଦର ବେହେରାଙ୍କ ସହିତ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇପାରିନାହିଁ ।