ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ଲାଗିରହିିଥିଲା ଝାଡାବାନ୍ତି । ଗ୍ରାମର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଲୋକ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୩ ଜଣ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରକାଶନ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଇ ଗ୍ରାମରେ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ସଚେତନ କରିଥିଲେ । ଉକ୍ତ ଗ୍ରାମର ବିଭୁ ପ୍ରସାଦ ସାହୁ ଙ୍କ କହିବାମତେ ଗ୍ରାମରେ ପ୍ରାୟ ୧୦ ଜଣ ଲୋକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଙ୍କ ମୃତ୍ୟୁ ଝାଡ଼ାବାନ୍ତିରେ ହୋଇଥିବା ଅନୁମାନ କରାଯାଉଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶିବ ମିଶ୍ର , ଗ୍ରାମରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଝାଡାବାନ୍ତି ହୋଇଥିବା ଅଭିଯୋଗ କରିଥିଲେ । ଗ୍ରାମର ଦର୍ଶନୀ ବେହେରା(୫୦) ଓ ପରକ୍ଷୀତ ପ୍ରଧାନ(୫୩) ଙ୍କ ସମେତ ନିକଟସ୍ଥ ସୁନାରିବେନି ଗ୍ରାମର ଧରଣୀ ଥାନପତି(୧୯) ନାମକ ଜଣେ ଯୁବକ ଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ର ଏକ ଟିମ୍ ଆସି ସ୍ଥାନୀୟ ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ , ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଗ୍ରାମରେ ଲୋକଙ୍କୁ ସଚେତନ କରିବା ସହିତ ମାଗଣା ଔଷଧ , ଓ ଆର ଏସ ଆଦି ବଣ୍ଟନ କରିଥିଲେ । ପରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆସି ଗ୍ରାମରେ ଡାଇରିଆ ବ୍ୟାପିବାର କାରଣ ଖୋଜିଥିଲେ । ଗ୍ରାମକୁ ନିକଟସ୍ଥ ସୁରବାଲି ଯୋର ନିକଟରେ ଇନଟେକ୍ ୱେଲ ରୁ ପାଇପ ସାହାଯ୍ୟରେ ପାନୀୟ ଜଳ ଯୋଗାଣ କରାଯାଉଥିଲା । ମାତ୍ର କେତେକ ସ୍ଥାନରେ ପାଇପ ଫାଟି ଯିବା ସତ୍ତ୍ବେ ଜଳ ଯୋଗାଣ ହେଉ ଥିବାରୁ ଦୂଷିତ ପାଣି ଯୋଗାଣ ହେବାରୁ ତାହା ବ୍ୟବହାର କରି ଲୋକେ ଝାଡାବାନ୍ତି ହୋଇଥିବା ଜଣା ପଡ଼ିଥିଲା । ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା. ସପ୍ନେଶ୍ଵର ବେହେରା ଙ୍କ ନେତୃତ୍ୱରେ ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ , ସୁପରଭାଇଜର ପ୍ରମୋଦ ସାହୁ , ପିଏଚଓ ସ୍ୱର୍ଣ୍ଣପ୍ରଭା ଜୁଏଡ , ଏମପିଏଚଏସ ଆଲୋକ ସେଠୀ , ସ୍ବାସ୍ଥ୍ୟକର୍ମୀ ବିଶ୍ମିତା ପତ୍ର , ଏମଏଚୟୁ ଟିମ୍ , ଆଶା କର୍ମୀ ପ୍ରମୁଖ ଗ୍ରାମକୁ ଆସି ଗ୍ରାମରେ ସଚେତନତା ସଭା କରିଥିଲେ । ଏପରିକି ମାଗଣା ଚିକିତ୍ସା ମଧ୍ୟ କରିଥିଲେ । ଆକ୍ରାନ୍ତ ଙ୍କୁ ବୀରମହାରାଜପୁର ଓ ସୁବଳୟା ଚିକିତ୍ସାଳୟ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା । ତେବେ ଏବେ ଗ୍ରାମରେ ସ୍ଥିତି ସ୍ଥିର ରହିବା ସହିତ ଝାଡାବାନ୍ତି ନିୟନ୍ତ୍ରଣ ରେ ରହିଥିବା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡ଼ା. ସପ୍ନେଶ୍ବର ବେହେରା ପ୍ରକାଶ କରିଛନ୍ତି ।
କମିରା ରେ ଝାଡ଼ା ବାନ୍ତି ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗ ର ତୁରନ୍ତ ପଦକ୍ଷେପ ଯୋଗୁଁ ସ୍ଥିତି ନିୟନ୍ତ୍ରଣlଧିନ
