ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର ବଳିପାଲି ଗ୍ରାମରେ ଅସହାୟ ରୋଗାକ୍ରାନ୍ତ ଶୋଭା ପଟନିଆ ଙ୍କ ଘରେ ପହଞ୍ଚିଲେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର କର୍ମକର୍ତ୍ତା । ଦୁଇ ବର୍ଷ ହେବ ଉକ୍ତ ଗ୍ରାମର ଶୋଭା ପଟନିଆଁ ପାରାଲିଶିସ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି । ଶୋଭା ରେଢ଼ାଖୋଲ ଅଞ୍ଚଲରେ ବିବାହ କରିଥିଲେ । ପ୍ରାୟ ଦଶ ବର୍ଷ ହେବ ତାଙ୍କ ସ୍ବାମୀ ତାଙ୍କୁ ଛାଡି ପଳାଇଯିବାରୁ ସେ ନିଜ ବାପ ଘରେ ତିନି ଝିଅ ଙ୍କୁ ନେଇ ରହୁଛନ୍ତି । ପାଖରେ ଅର୍ଥର ଅଭାବରୁ ବାହାରେ ଯାଇ ଚିକିତ୍ସିତ ହୋଇପାରୁ ନାହନ୍ତି । ପାଖରେ ଅଛନ୍ତି ତିନି ନାବାଳିକା ଝିଅ । ବଡ଼ ଝିଅ ଅନସୁୟା ମ୍ୟାଟ୍ରିକ୍ ପରୀକ୍ଷା ଦେଇ ବିଫଳ ହୋଇ ଘରେ ଥିବାବେଳେ ମଝିଆଁ ଝିଅ ଶୀୟା ଅଷ୍ଟମ ଶ୍ରେଣୀ ରେ ଓ ସାନ ଝିଅ ଲିପି ସହ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ଘରେ ରୋଜଗାରକ୍ଷମ ବ୍ୟକ୍ତି କେହିନାହାନ୍ତି । ସରକାରଙ୍କ ଠାରୁ ସେ କେବଳ ଚାଉଳ ପାଇ ଚଳୁଥିବା ବେଳେ ସମୟେ ସମୟେ କେହି କେହି ସାହାଯ୍ୟ କରୁଛନ୍ତି । ବହୁ ଅସୁବିଧା ଅନାଟନ ରେ ପରିବାର ପ୍ରତିପୋଷଣ ହେଉଛି । ଏନେଇ ଗତ ସୋମବାର ଦିନ ବୀରମହାରାଜପୁର ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର କୁ ଆସି ତାଙ୍କ ପରିବାର କୁ ସାହାଯ୍ୟ ପାଇଁ ଅଭିଯୋଗ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ଙ୍କ ନେତୃତ୍ୱରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶିଶୁ ସୁରକ୍ଷା ଅଧିକାରୀ ବିଜୟ କୁମାର ବିଶ୍ବାଳ , ପରାମର୍ଶଦାତା ପ୍ରଶାନ୍ତ ମହାକୁର ପ୍ରମୁଖ ଅସହାୟ ଶୋଭା ଙ୍କ ଘରକୁ ଆସି ସମସ୍ତ ବିଷୟରେ ଜାଣିବାପରେ ଦୁଇ ଝିଅ ସୀୟା ଓ ଲିପି ର ପାଠପଢ଼ା , ରହିବା , ଖାଇବା ଓ ସମସ୍ତ ଦାୟିତ୍ବ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନେବବୋଲି ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି । ଏ ବିଷୟରେ ଜିଲ୍ଲାପାଳ ଙ୍କୁ ଜଣାଇ ଅଧିକ କିଛି ସୁବିଧା କରାଯିବାକୁ କହିଛନ୍ତି ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ।
ଅସହାୟ ଶୋଭା ଙ୍କ ଘରେ ପହଞ୍ଚିଲା ଜିଲ୍ଲା ଶିଶୁ ମଙ୍ଗଳ ସମିତି
