ବୀରମହାରାଜପୁର : ରାସ୍ତା ନ ଥିବାରୁ ଜଣେ ଗର୍ଭବତୀ ଙ୍କୁ ହିନସ୍ଥା ହେବାକୁ ପଡ଼ିଛି । ନିଜ ଘରୁ ଗର୍ଭବତୀ ଙ୍କୁ ଖଟିଆ ରେ ବୁହା ହୋଇ ରାସ୍ତା ରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣୁଥିବା ବେଳେ ବାଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ସୁଚନାମତେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତ ର ଗୌଡ଼ଗାଡ଼ ( ଫବସିପାଲି) ଗ୍ରାମର ଫିରୋଜ ମିର୍ଦ୍ଧା ଙ୍କ ସ୍ତ୍ରୀ ଗୋଲାପି ମିର୍ଦ୍ଧା(୨୧) ଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ କୁ ଫୋନ କରି ଡାକିଥିଲେ । ଯଥା ସମୟରେ ଆମ୍ବୁଲାନ୍ସ ମଧ୍ୟ ପହଁଚି ଥିଲା । ମାତ୍ର ଫବସିପାଲି ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଟି ଅମରପାଲି – ଗୌଡଗାଡ ରାସ୍ତାରେ ଅଟକି ରହିଥିଲା । ପରିବାର ଲୋକେ ଗର୍ଭବତୀ ଙ୍କୁ ଖଟିଆ ରେ ବୋହି ରାସ୍ତା ପର୍ଯ୍ୟନ୍ତ ଆଣୁଥିଲେ । ବାଟରେ ଏକ ନାଳ ପାରି ହେଲା ପରେ ଗର୍ଭ ଯନ୍ତ୍ରଣା ଅଧିକ ହୋଇଥିଲା । ଗର୍ଭବତୀ ଜଣକ ଉକ୍ତ ରାସ୍ତା ରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ । ପରିବାର ଓ ସାହି ପଡିଶା ଲୋକେ ଉଭୟ ନବ ଜନ୍ମିତ କନ୍ୟା ସନ୍ତାନ ଓ ପ୍ରସୂତି ଙ୍କୁ ପୁଣି ସେହି ଖଟିଆରେ ଅଧ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଡାକ୍ତରଖାନା କୁ ଅଣାଯାଇଥିଲା । ଉଭୟ ମା ଝିଅ ଏବେ ସୁସ୍ଥ ଥିବା ଜଣା ପଡିଛି। ଉକ୍ତ ଘଟଣା ଟି ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଗ୍ରାମକୁ ରାସ୍ତା ପାଇଁ ତିନି ବର୍ଷ ପୂର୍ବେ ଏମ ଜି ଏନ ଆର ଇ ଜି ଏ ଯୋଜନରୁ ପ୍ରାୟ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ମାତ୍ର ମୁଖ୍ୟ ରାସ୍ତାରୁ ଫବସିପାଲି ପର୍ଯ୍ୟନ୍ତ ରାସ୍ତାରେ କିଛି ଅଂଶ ଘାରୋଇ ଜମି ଥିବାରୁ ରାସ୍ତା ନିର୍ମାଣ ହୋଇ ପାରି ନ ଥିଲା । ଏନେଇ ବୀରମହାରାଜପୁର ଜୋନ -୧ ଜିଲ୍ଲା ପରିଷଦ ତଥା ବରିଷ୍ଠ କଂଗ୍ରେସ ନେତା ଲବ କୁମାର ସାହୁ ଉକ୍ତ ଘଟଣା କୁ ନିନ୍ଦା କରିଛନ୍ତି । ଜିଲ୍ଲା ରେ ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଥାଇ ମଧ୍ୟ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇ ନ ପାରିବା ଅଞ୍ଚଳରେ କୌଣସି କାମ ହେଉ ନ ଥିବା ଅଭିଯୋଗ କରିଛନ୍ତି । ଏ ନେଇ ବହଳପଦର ପଞ୍ଚାୟତ ର ସରପଞ୍ଚ ନିରୁପମା ସେଠୀ ଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଛି ମାତ୍ର ଜମି ଅଧିଗ୍ରହଣ ହୋଇ ନ ପାରିବାରୁ ରାସ୍ତା କାମ ହୋଇ ପାରି ନାହିଁ । ତୁରନ୍ତ ଏହି ସମସ୍ୟାର ସମାଧାନ କରି ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ତେବେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ରାସ୍ତା ନ ଥିବାରୁ ଖଟିଆରେ ନେବା ସମୟରେ ବାଟରେ ପ୍ରସବ କଲେ ଗର୍ଭବତୀ
