ଭୁବନେଶ୍ୱର: ଅସହ୍ୟ କଲାଣି ଅକ୍ଟୋବରର ତାତି। ଶରତରେ ଗ୍ରୀଷ୍ମ ଋତୁର ଅନୁଭୂତି। ଅସହ୍ୟ ଗୁଳୁଗୁଳିରେ କଲବଲ ଜନତା। ଏମିତି ଆହୁରି ସପ୍ତାହେ ଯାଏଁ ଅନୁଭୂତ ହେବ ଅସହ୍ୟ ତାତି । ତା ପରେ ତାତିରୁ କିଛି ଆଶ୍ଵସ୍ତି ମିଳିବ। କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୧୯ କିମ୍ବା ୨୦ ତାରିଖ ବେଳକୁ ବଙ୍ଗୋପସାଗର ଓ ଆରବସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାତି କମିବ। ସହ ଦଶହରା ପୂଜାରେ ବର୍ଷା ହେବାର ଆଶଙ୍କା କମ୍ ରହିଛି । ବର୍ତ୍ତମାନ ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଅନ୍ୟପଟେ ରାଜ୍ୟକୁ ଉତ୍ତର-ପୂର୍ବ ପବନ ବିଳମ୍ବିତ ହେଉଥିବାରୁ ଥଣ୍ଡା ବଦଳରେ ଗରମ ହେଉଥିବା ବିଶେଷଜ୍ଞ ଡ. ପଶୁପାଳକ କହିଛନ୍ତି ।
ଡ. ପଶୁପାଳକ ଆହୁରି ମଧ୍ୟ କହିଛନ୍ତି, ସାଧାରଣତଃ ଅକ୍ଟୋବର ୧୦ରୁ ୧୫ ତାରିଖ ଭିତରେ ଓଡ଼ିଶାରୁ ମୌସୁମୀ ଫେରିଯାଏ । ଏହାପରେ ରାଜ୍ୟକୁ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ । କିନ୍ତୁ ଏବେ ଉତ୍ତର-ପୂର୍ବ ବଦଳରେ ଉତ୍ତର-ପଶ୍ଚିମରୁ ପବନ ଓଡ଼ିଶାକୁ ବହୁଛି। ଅନ୍ୟପଟେ ଅକ୍ଟୋବର ମାସରେ ମଝିରେ ମଝିରେ କିଛି କିଛି ବର୍ଷା ହୋଇଥାଏ । ତେଣୁ ଅକ୍ଟୋବର ଶେଷ ଆଡକୁ ଏହି ଧରଣର ବର୍ଷା ହୋଇପାରେ।