Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ପରିଚାଳନା ବିଜ୍ଞପ୍ତି ଜାରି, ୩୦ ଦିନ ଭିତରେ ଲୋଡ଼ିଲେ ମତାମତ

ଭୁବନେଶ୍ଵର: ଦୀର୍ଘଦିନ ଧରି ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା ହୋଇ ପାରୁନଥିଲା। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦ୍ୟାବଧି ବିଧିବଦ୍ଧ ନିୟମ ପ୍ରଣୟନ ହୋଇ ନାହିଁ। ଏହାକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହେବା ପରେ ଚଳିତ ମୌସୁମୀ ଅଧିବେଶନରେ ଓଡିଶା ଆପାର୍ଟମେଣ୍ଟ ଅଧିନିୟମ-୨୦୨୩ ବିଲ୍ ଗୃହୀତ ହୋଇଛି। ଏହା ରାଜ୍ୟଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ତେବେ ଏହା କିପରି କାର୍ଯ୍ୟକାରୀ ହେବ ସେ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ବିଭାଗ ପକ୍ଷରୁ ଏକ ଚିଠା ନିୟମ ବିଭିନ୍ନ ଫୋରମରେ ପ୍ରକାଶ ପାଇଛି।

ଚିଠା ଅନୁଯାୟୀ, ଯଦି କାହାର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ବିଜ୍ଞପ୍ତିର ୩୦ ଦିନ ଭିତରେ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରି ପାରିବେ। ରାଜ୍ୟ ସରକାର ଏହାକୁ ବିଚାରକୁ ନେବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ବିଜ୍ଞପ୍ତି ପ୍ରକାଶିତ ହେବା ତାରିଖଠୁ ୩୦ ଦିନର ଅବଧି ସରିବା ପରେ ମିଳିଥିବା ଅଭିଯୋଗ ଏବଂ ଆବେଦନଗୁଡ଼ିକ ଉପରେ ବିଚାର କରିବେ। ଅବଧି ସରିବା ପରେ ଆବେଦନ କରିଥିଲେ ତାହା ବିଚାରକୁ ନିଆଯିବ ନାହିଁ।

ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଲାଗି ଏଥିରେ ସମିତି ପଞ୍ଜୀକରଣକୁ ଗୁରୁତ୍ଵ ଦିଆଯାଇଛି। ସମିତି ପଞ୍ଜୀକରଣ ସମୟରେ କେତେ ସଂଖ୍ୟକ ଆପାର୍ଟମେଣ୍ଟ ଗ୍ରହୀତା ରହିଛନ୍ତି ସେମାନଙ୍କର ସମସ୍ୟା କଣ ରହିଛି ଏବଂ ସେଗୁଡ଼ିକ ସମାଧାନ ଲାଗି ଭୋଟିଂ ହେବ କି ନାହିଁ ଏବଂ କେତେ ଜଣ ସଭ୍ୟ ରହିଲେ ପ୍ରସ୍ତାବଟି ଫୋରମକୁ ଯିବ ସେ ବିଷୟରେ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ଦିଆଯାଇଛି।

ସେହିପରି ଆପାର୍ଟମେଣ୍ଟ ଦଲିଲ ପଞ୍ଜୀକରଣ ବେଳେ ପ୍ରମୋଟର କାଗଜ ହସ୍ତାନ୍ତର ବେଳେ କଣ ସବୁ ଉଲ୍ଲେଖ ରହିବ ସେ ନେ ସ୍ପଷ୍ଟ ଭାବେ କୁହାଯାଇଛି। ଗ୍ରହୀତା କେତେ ଟଙ୍କା ଦେବ ଏବଂ କି ପ୍ରକାରରେ ଦେବେ ସେସବୁର ପ୍ରମାଣ କିଭଳି ରହିବ ତାହା ସହିତ ଆପାର୍ଟମେଣ୍ଟ ଗ୍ରହୀତାମାନେ ଗୃହ କିଣିବା ପରେ ସ୍ଵତାଧିକାର ପ୍ରମାଣପତ୍ର ପାଇବା ନେଇ ଯେପରି ସମସ୍ୟା ନ ଉପୁଜିବ ତାକୁ ଗୁରୁତ୍ଵ ଦେବାକୁ ଚିଠା ପ୍ରସ୍ତାବରେ ବ୍ୟବସ୍ଥା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ