କଳାହାଣ୍ଡି,୧୭/୧୦-ଧିରେ ଧିରେ ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡ଼ିଶା ରାଜନୀତିର ପ୍ରୟୋଗଶାଳା ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାରେ ଏବେ ରାତାରାତି ଅନେକ ଋତୁକାଳୀନ ସଂଗଠନ ସବୁ ଗଢ଼ିଉଠିଛି ! ସମସ୍ତଙ୍କର ଲକ୍ଷ୍ୟ କୁଆଡ଼େ କଳାହାଣ୍ଡିର ସାମଗ୍ରିକ ବିକାଶ କରିବା ! ଜିଲ୍ଲାର ଉନ୍ନତି ପାଇଁ ସେମାନଙ୍କ ମନ ଖାଲି ହାଇଁପାଇଁ ହେଉଛି ! ବର୍ଷ ବର୍ଷ ଧରି ନିଜ ପେଟପାଟଣା, ବ୍ୟବସାୟ, ଠିକାଦାରୀ, ଦଲାଲି କରୁଥିବା ବ୍ୟକ୍ତିବିଶେଷମାନେ ଏବେ ହଠାତ୍ ସୁନାପିଲା ପାଲଟିଯାଇଛନ୍ତି ! କଳାହାଣ୍ଡି ମାଟିର ଉନ୍ନତି ପାଇଁ ସେମାନଙ୍କ ମନ କୁଆଡ଼େ ଗୁମୁରି ଗୁମୁରି କାନ୍ଦି ଉଠୁଛି ! ସହର, ବଜାର ଓ ଛକସ୍ଥାନରେ ଏବେ ମାଳମାଳ ସୁଦ୍ରୁଶ୍ୟ ବ୍ୟାନରସବୁ ଟଙ୍ଗା ହେଇଛି ! ଯିଏ ଦେଖୁଛି, କହି ପକାଉଛି, ଆରେ ଆରେ ଇଏ କେଉଁଠି ଥିଲା, ଯାହା ହେଉ ଜିଲ୍ଲାରେ ଏବେ ନେତାଙ୍କ ଅଭାବ ନାହିଁ ! ନିର୍ବାଚନ ଆସୁନାହିଁ ଯେ, ଏବେ ସମସ୍ତେ ନେତା ହେବେ ! ରାତାରାତି ବିଧାୟକ ହେବେ, ସାଂସଦ ହେବେ ! ଜିଲ୍ଲାର ସବୁ ଅଭାବ ଅସୁବିଧା ଗୋଟିଗୋଟି ମୂଳପୋଛ କରିଦେବେ ! ଠିକ୍ ସେହିପରି ନିର୍ବାଚନ ପାଖାପାଖି ଗଢ଼ିଉଠୁଛି ଅନେକ ଋତୁକାଳୀନ ସାମାଜିକ, ରାଜନୈତିକ ଓ ବୁଦ୍ଧିଜୀବୀ ସଂଗଠନ ! ସତେ ଯେମିତି ଜିଲ୍ଲାର ତମାମ ଦାବିଗୁଡ଼ିକ ସବୁ ଚଟାପଟ ପୂରଣ ହେଇଯିବ ! ସଂଗଠନ ସବୁ ଲାଗିପଡ଼ି ଜିଲ୍ଲାର ସମସ୍ୟାଗୁଡ଼ିକୁ ଚିହ୍ନଟ କରି ଦାବିପତ୍ର ତିଆରି କରୁଛନ୍ତି ! ଦିସ୍ତା ଦିସ୍ତା କାଗଜ ସାରୁଛନ୍ତି ! ଦିନକୁ ଦିନ ଫ୍ୟାନ୍ କ୍ଲବ ସଂଖ୍ୟା ବଢ଼ିଚାଲିଛି ! ସୋସିଆଲ ମିଡିଆରେ ଫଟୋ-ଭିଡିଓ ସବୁ ଧଡ଼ାଧଡ଼ ପୋଷ୍ଟିଂ ହେଉଛି ! ଆଉ ଲାଇକ୍ , କମେଣ୍ଟ, ସେୟାର ସଂଖ୍ୟା ଦେଖି କୁତୁକୁତୁ ହେଉଛନ୍ତି ! ଏହିପରି ଭାବେ କଳାହାଣ୍ଡି ଜିଲ୍ଲାର ପାଞ୍ଚ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ନର୍ଲା, ଧର୍ମଗଡ଼, ଜୁନାଗଡ଼ ଭଳି ଅଣ ସଂରକ୍ଷିତ ଆସନ ପାଇଁ ନିୟମିତ ରାଜନେତା ସମେତ ଶତାଧିକ ପ୍ରାର୍ଥୀ / ପ୍ରାର୍ଥିନୀଙ୍କ ଆବିର୍ଭାବ ଘଟିଛି ! ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ ଭବାନୀପାଟଣା ସଦର ଆସନ ପାଇଁ ମଧ୍ୟ ବିଭିନ୍ନ ଦଳରୁ ପ୍ରାୟ ୨୫ଜଣ ଆଶାୟୀ ମୁଣ୍ଡ ଟେକିଛନ୍ତି ! ବିଭିନ୍ନ ଅଞ୍ଚଳ ଗସ୍ତ, ବିଭିନ୍ନ ସଭାସମିତି ଜରିଆରେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରିବା ସହିତ ଦଳର ଉଚ୍ଚ କର୍ତ୍ତ୍ରୁପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ ପାଇଁ ଅହରହ ପ୍ରୟାସ ଚଳାଇଛନ୍ତି ! ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଆଶାୟୀଙ୍କ ସଂଖ୍ୟା କମ୍ ନୁହଁନ୍ତି ! ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଗୋଟିଏ ଦଳ ପାଇଁ ଏକାଧିକ ଆଶାୟୀ ନିଜ ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ କଳବଳକୌଶଳ ଲଗାଇଦେଇଛନ୍ତି ! ବିଭିନ୍ନ ସ୍ଥାନରେ ନୂଆଖାଇ ଭେଟଘାଟ, ବନ୍ଧୁମିଳନ, ପଦଯାତ୍ରା, ଜନସଂପର୍କ, ପ୍ରାୟୋଜିତ ଶୋଭାଯାତ୍ରା ଆଦି ଜାରି ରହିଛି ! ଏପରି ପରିସ୍ଥିତିରେ ଲୋକେ କାହାକୁ ସମର୍ଥନ କରିବେ, କାହାକୁ ଭରସା କରିବେ ତାହା ବିଚାର କରିବା ମୁସ୍କିଲ ହୋଇପଡ଼ିଛି ! ଉଡ଼ାପକ୍ଷୀ ଭଳି ନିର୍ବାଚନ ସରିଲେ ଡେଣାଝାଡ଼ି ଉଡ଼ିଯିବା ମସୁଧାରେ ଥିବା ଏଇ ଋତୁକାଳୀନ ନେତା ଓ ସଂଗଠନଗୁଡ଼ିକ ଦୋଦୁଲ୍ୟମାନ ସ୍ଥିତିରେ ଥିବାବେଳେ ନିଜ ଭବିଷ୍ୟତକୁ ନେଇ ସେମାନେ ମଧ୍ୟ ସନ୍ଦିହାନ ହୋଇ ପଡ଼ିଛନ୍ତି ! ଏଭଳି ପରିସ୍ଥିତିରେ ଜିଲ୍ଲାରେ ନିର୍ବାଚନ ଆସିବା ପୂର୍ବରୁ ହିଁ ନିର୍ବାଚନୀ ତାତି ଅନୁଭୁତ ହେଉଥିବାବେଳେ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଉଠିଛି ! ଅପରପକ୍ଷରେ ଦୀର୍ଘ ବର୍ଷ ବର୍ଷ ଧରି ରାଜନୀତି କରୁଥିବା, ନିରବଚ୍ଛିନ୍ନ ଭାବେ ସମାଜସେବା କରୁଥିବା, ଲୋକଙ୍କ ସେବା କରୁଥିବା ନେତା, ବ୍ୟକ୍ତିବିଶେଷମାନେ ଏଇ ସଦ୍ୟ ଆବିର୍ଭୁତ ନେତାମାନଙ୍କ ବ୍ୟୟବହୁଳ ପ୍ରଚାର ଆଗରେ ଫିକା ପଡ଼ିଯାଉଛନ୍ତି ! ତେବେ, ଗଣତନ୍ତ୍ରରେ ରାଜନୀତି କରିବା ସମସ୍ତଙ୍କ ଅଧିକାର ହୋଇଥିବାବେଳେ ନୂଆ ନେତ୍ରୁତ୍ବ ନେବାକୁ ଯାଉଥିବା ଏଇ ବ୍ୟକ୍ତିବିଶେଷମାନେ ଜନତାଙ୍କ ପରୀକ୍ଷାରେ କେତେବେଳେ ସଫଳ ନହେବେ କିଏ କହିବ ? ହେଲେ କଳାହାଣ୍ଡି ଜିଲ୍ଲାବାସୀ ପୂର୍ବରୁ ଏଭଳି ଅନେକ ନେତାଙ୍କୁ ନିଜ ମତଦାନ ଜରିଆରେ କାହାକୁ ମୁଣ୍ଡ ଉପରେ ବସେଇଛନ୍ତି ତ କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ! ଏଣୁ ଏଇ ପରପ୍ରେକ୍ଷୀରେ ଜିଲ୍ଲାର ଜନତା ସର୍ବୋପରି ହୋଇଥିବାବେଳେ ଜନାଦେଶ କହିବ ସତରେ ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେବାକୁ ସବୁଠୁ ଯୋଗ୍ୟତା ସଂପନ୍ନ ନେତା କିଏ ?