Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲିଠୁ ରାଜ୍ୟରେ ଗଡ଼ିବନି ବସ୍, ୨୦ରୁ ବସ ମାଲିକ ସଂଘର ଧର୍ମଘଟ ଆରମ୍ଭ

ଭୁବନେଶ୍ଵର: ଆସନ୍ତାକାଲିଠୁ ରାଜ୍ୟରେ ଗଡ଼ିବନି ବସ୍। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ଓ ସହର ବାହାରେ ମୋ ବସ୍ ଚଳାଚଳକୁ ବିରୋଧ କରି ଓଡ଼ିଶାର ଘରୋଇ ବସ୍ ମାଲିକ ସଂଘ ଅକ୍ଟୋବର ୨୦ ତାରିଖରୁ ପୁଣି ଥରେ ରାଜ୍ୟରେ ବସ୍ ଧର୍ମଘଟ ଡାକରା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ଦାବି ପୂରଣ ନ ହେବାରୁ ଶୁକ୍ରବାରଠୁ ସାରା ରାଜ୍ୟରେ ବସ୍ ଧର୍ମଘଟ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଗତକାଲି ଏହି ସୂଚନା ଦେଇଥିଲେ ସଂପାଦକ ଦେବେନ୍ଦ୍ର ସାହୁ।

ଏହା ପୂର୍ବରୁ ଗତ ୮ ତାରିଖରେ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଧର୍ମଘଟ ଡାକରା ଦେଇଥିଲା ସଂଘ। ତେବେ ୯ ତାରିଖରେ ସଂଘ ଅକ୍ଟୋବର ୩୧ ପର‌୍ୟ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଥିଲା। ସଂପାଦକ ଦେବେନ୍ଦ୍ର ସାହୁ କହିଥିଲେ, ଅଦ୍ୟାବଧି ସରକାରଙ୍କ ସହ ଆଲୋଚନା ସକରାତ୍ମକ ରହିଛି। ସରକାର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହା ମଧ୍ୟରେ ରାଜ୍ୟ ସକରାର ପ୍ରତିଶ୍ରୁତି ପୂରଣ ଦିଗରେ ବିହିତ ପଦକ୍ଷେପ ନ ଉଠାଇ ଥିବାରୁ ସଂଘ ପୁଣି ଥରେ ଅକ୍ଟୋବର ୨୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ କରିବାକୁ ଯାଉଛି।
ବସ୍ ଚଲାଚଳ ବନ୍ଦ ହେଲେ ପାର୍ବଣ ସମୟରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯାତ୍ରା କରି ଦୁର୍ଗାପୂଜାର ଆନନ୍ଦ ଉଠାଇବାରେ ସମସ୍ୟା ଉପୁଜିପାରେ। ତେବେ ପୂଜା ଛୁଟିରେ ଧର୍ମଘଟ ପାଇଁ ପରିସ୍ଥିତି ବାଧ୍ୟ କରିଛି। ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ। ତେଣୁ ଲୋକଙ୍କୁ ଆଗୁଆ କ୍ଷମା ମାଗୁଛୁ ବୋଲି କହିଛନ୍ତି ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ ହୋଇ ସାରିଛି। ଏହି ଯୋଜନାରେ ପଞ୍ଚାୟତ ସହ ବ୍ଳକ ଓ ବ୍ଳକ ସହ ଜିଲ୍ଲା ଯୋଡ଼ିବାକୁ ରାଜ୍ୟ ସରକାରଙ୍କ ଯୋଜନା ରଖିଛନ୍ତି। ସୁଲଭ ବସ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଗରିବ ଲୋକ ଯାତାୟାତ କରି ପାରିବେ ବୋଲି ସରକାର କହିଛନ୍ତି।

ବସ୍ ମାଲିକ ସଂଘର ଅଭିଯୋଗ ଅନୁସାରେ- ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକ୍‌କୁ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବ୍ଲକ୍‌ରୁ ଜିଲ୍ଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ୍ ମାଲିକ କ୍ଷତି ସହିବେ । ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍ ଆଣିବା ପାଇଁ ସେମାନେ ଦାବି କରିଛନ୍ତି। ଏଥିସହ ଲକ୍ଷ୍ମୀ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍ କରିବାକୁ ଦାବି କରିଛନ୍ତି।