Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ସତର୍କ ସୂଚନା, କ୍ଷୟକ୍ଷତି ଘଟିଲେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇ ସାରିଛି। ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। କୃଷି ଓ ଜଳସଂପଦ ବିଭାଗ ସଚିବ ସମେତ ପୌରାଞ୍ଚଳ ପ୍ରଶାସକ, ସବୁ ଆରଡିସି, ଅଗ୍ନିଶମ ବିଭାଗଙ୍କୁ ମଧ୍ୟ ସତର୍କ ଚିଠି ଜାରି କରାଯାଇଛି।

ଉପକୂଳ ଜିଲ୍ଲା ସମେତ କେନ୍ଦୁଜର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କିଛି କ୍ଷୟକ୍ଷତି ଘଟିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତର ରୂପ ନେଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳରେ ହାଲୁକା ବର୍ଷା ହୋଇଛି। ଏ ନେଇ ସୋମବାର ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି। ଅସ୍ତରଙ୍ଗ, କେନ୍ଦ୍ରାପଡ଼ା, ପୁରୀ, ଚାନ୍ଦବାଲି, ପାରାଦୀପରେ ହାଲୁକା ବର୍ଷା ହୋଇଛି। ସମୁଦ୍ର ଭିତରେ ପବନର ବେଗ ୫୦ରୁ ୬୦ କିମି ରହିଥିବା ସୂଚନା ରହିଛି।

ତେବେ ସ୍ଥଳଭାଗ ପାଇଁ ପବନର ବେଗ ବଢିବା ନେଇ କୌଣସି ସତର୍କ ସୂଚନା ନାହିଁ। ଓଡ଼ିଶାରେ ବାତ୍ୟାର ସେପରି ପ୍ରଭାବ ନାହିଁ , କେବଳ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଉପକୂଳରୁ ୨୦୦ କିମି ଦୂର ଦେଇ ବାତ୍ୟା ଅତିକ୍ରମ କରିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ୨୬ ପର‌୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଚାନ୍ଦବାଲି, ପାରାଦୀପ, ଗୋପାଳପୁର ବନ୍ଦର ପାଇଁ ୩ ନଂ ବିପଦ ସଙ୍କେତ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଉତ୍ତର ଦିଗରେ ଗତି କରୁଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଅଭିମୁଖେ ମୁହାଁଇବ । ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ଏହି ସମ୍ଭାବ୍ୟ ବାତ୍ୟାର ନାମ ରହିଛି “ହମୁନ’ । ମାତ୍ର ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ବିଶେଷ ପଡ଼ିବ ନାହିଁ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏସଆରସି ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି।

More Stories