ଅଷ୍ଟବକ୍ର ଗୀତାର ଓଡିଆ ଅନୁବାଦ:ଏକ ଚମତ୍କାରୀ କୃତି


ସମ୍ବଲପୁର:ପରମ ସତ୍ୟ ର ଉଦ୍‌ଘୋଷ ଉପନିଷଦରୁ ଆରମ୍ଭ କରି ବେଦ, ବେଦାନ୍ତ, ଓ ସର୍ବଗ୍ରନ୍ଥର ସାର ଶ୍ରୀମଦ ଭଗବତ୍ ଗୀତାରେ ବହୁତ ବଳିଷ୍ଠ ଭାବରେ ହୋଇଛି ।କିନ୍ତୁ ସେହି ଅନୁପମ ତତ୍ୱର ସ୍ୱରୂପ ବର୍ଣ୍ଣନା କରିବାରେ ସମସ୍ତେ ବାକ୍‌ରୁଦ୍ଧ ହୋଇଛନ୍ତି ।ଏପରିକି ଉପନିଷଦ ମଧ୍ୟ ବାରମ୍ବାର ‘ନେତି ନେତି’ କହି ଅତ୍ୟନ୍ତ ଶାଳୀନତାର ସହ ସେହି କାଠିକର ପ୍ରଶ୍ନର ଉତ୍ତର ଦେବାର ଧୃଷ୍ଟତାରୁ ଅପସରି ଯାଇଛି । ହେଲେ ଅଷ୍ଟବକ୍ର ଗୀତା ଏପରି ଏକ ଚମତ୍କାରୀ କୃତି, ଯାହା ସେହି ପରମ ସତ୍ୟର ଅମୂଲ୍ୟ ଅନୁଭୁତିଟିକୁ ରାଜର୍ଷି ଜନକଙ୍କର ‘ଅହୋ-ଭାବ’ ଜନିତ ଆତ୍ମ ଅଭିବ୍ୟକ୍ତି ମାଧ୍ୟମରେ ଅତ୍ୟନ୍ତ ନିଖୁଣ ଭାବରେ ପରିପ୍ରକାଶ କରି ପାରିଛି ।ଏହି ଦୃଷ୍ଟିରୁ ଅଷ୍ଟବକ୍ର ଗୀତା କୁ ରାଜା ଜନକଙ୍କର ଆତ୍ମ ଅନୁଭୁତିର ଏକ ଅତି ଚମତ୍କାରୀ, ଭାବ ସଂଚାରୀ ଆତ୍ମଗୀତିକା କହିଲେ ଅତିଶୟୋକ୍ତି ହେବ ନାହିଁ।ମୂଳ ସଂସ୍କୃତ ଭାଷାର ଏହା ଏକ ଅନୁବାଦ ପୁସ୍ତକ।ଓଡିଆ ଓ ଇଂରାଜୀ ଉଭୟ ଭାଷାରେ ଏହାକୁ ବଟୁରାମ ନାୟକ ଅନୁବାଦ କରିଛନ୍ତି। ବଟୁରାମ ପେଷାରେ ଜଣେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ହୋଇଥିଲେ ମଧ୍ୟ ସାହିତ୍ୟ ହେଉଛି ତାଙ୍କ ବଡ ନିଶା।ପ୍ରବନ୍ଧ ଓ କବିତା ସାହିତ୍ୟରେ ତାଙ୍କର ରହିଛି ଏକ ବଡ ଦଖଲ।
ଏହି ଅନୁବାଦିତ ଅଷ୍ଟବକ୍ର ବହିରେ
ହୃଦୟ ପ୍ରଦେଶରେ ଅତ୍ୟନ୍ତ ଯାଦୁକରୀ ସମ୍ମୋହନ ଥବା ଅନିଭବ ହୁଏ।ଯେତେବେଳେ ଆତ୍ମ ଅନୁଭୁତିର ଅହୋ ଭାବାତ୍ମକ ଶୀର୍ଷାନୁଭୁତିରେ ଥାଇ ରାଜା ଜନକ କହନ୍ତି:
ସେ’ ଜ୍ଞାତା କାହିଁ? ସେ’ ଜ୍ଞାନ କାହିଁ?
ସେହି ଜ୍ଞାତବ୍ୟ ଜ୍ଞାନଟି କାହିଁ?
ଅସ୍ତିତ୍ୱ କାହିଁ? କାହିଁ ଅନସ୍ତିତ୍ୱ ?
ମୁଁ ଯେ’ ଶୁଦ୍ଧ ଚୈତନ୍ୟ ମୁଁ ହିଁ ॥
କାହିଁ ଅସ୍ତିତ୍ୱ? କାହିଁ ଅନସ୍ତିତ୍ୱ?
ଦ୍ୱୈତ ଅଦ୍ୱୈତ କାହିଁ?
ମୋ’ ଗର୍ଭରୁ କିଛି ନୁହେଁ ସମ୍ଭୂତ,
କିଛି ମୋହରି ଗର୍ଭରେ ନାହିଁ ।
କହିବା ପାଇଁ ଆଉ କି’ ଅଛି,
କହିବା ପାଇଁ ନାହିଁ, କହିବା ପାଇଁ ନାହିଁ ॥
ଅଷ୍ଟବକ୍ର ସଂହିତାର ଗୁଣଗାନ କରିବାର ଧୃଷ୍ଟତା କରି ଏତିକି କହିବା ବୋଧହୁଏ ଯଥେଷ୍ଟ ହେବ ଯେ, ଧନ୍ୟ ସିଏ, ଏହି ଭାବଟି ପାଇଛି ଯିଏ, ଏହି ଭାବେ ଭାବାନ୍ୱିତ ହୋଇ, ଏହି ଭାବେ ଭାବାନ୍ୱିତ ହୋଇ…।ବିଶେଷ ଭାବରେ ଓଡିଆ ପାଠକଙ୍କ ଉଦ୍ଦେଶ୍ୟରେ ଲିଖିତ ଓ ସମର୍ପିତ ଅଷ୍ଟବକ୍ର ପୁସ୍ତକ ସାଂପ୍ରତିକ ସମୟରେ ଏକ ବିରଳ ପୁସ୍ତକର ମାନ୍ୟତା ଗ୍ରହଣ କରିବ।